ଶ୍ରୀବଳଦେବଜୀଉଙ୍କ ମଧୁଦୈତ୍ୟ ସଂହାର ବେଶ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଦୁର୍ଲଭ ‘ମଧୁଦୈତ୍ୟ ସଂହାର ବେଶ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଧୂପ ଓ ନୀତିକାନ୍ତି ସମ୍ପନ୍ନ ହେବା ପରେ ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ଶ୍ରୀଜୀଉଙ୍କୁ ଏହି ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇଥିଲା। ଶ୍ରୀଜୀଉଙ୍କୁ ଶୁକ୍ଳ ମଠମଉଳି, ବାହୁ, ଚରଣ ଓ କରପଲ୍ଲବ ଆଦି ପାରମ୍ପରିକ ପାଟବସ୍ତ୍ର ଓ ଅଳଙ୍କାରରେ ବିଭୂଷିତ କରାଯିବା ସହ ଶ୍ରୀଚରଣ ପାର୍ଶ୍ୱରେ ପରାକ୍ରମୀ ମଧୁଦୈତ୍ୟର ପ୍ରତିକୃତି ସ୍ଥାପନ କରାଯାଇଥିଲା। ଏହାପରେ ଭବ୍ୟ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥିଲା। ପ୍ରଭୁଙ୍କ ଏହି ମନୋରମ ତଥା ବୀରତ୍ୱପୂର୍ଣ୍ଣ ବେଶ ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା। ଏହି ବେଶର ପୌରାଣିକ ମହତ୍ତ୍ୱ ସମ୍ପର୍କରେ ମନ୍ଦିର ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇ କହିଛନ୍ତି ଯେ ପୌରାଣିକ ଆଖ୍ୟାନ ଅନୁଯାୟୀ ତୁଳସୀକ୍ଷେତ୍ରରେ ପ୍ରବଳ ପ୍ରତାପୀ କନ୍ଦରାସୁରର ଅତ୍ୟାଚାର ବଢ଼ିଚାଲିଥିବା ବେଳେ ମଧୁଦୈତ୍ୟ ତାହାର ପ୍ରମୁଖ ସେନାପତି ଭାବେ କାର୍ଯ୍ୟ କରୁଥିଲା। ସେ ଋଷିମୁନି ତଥା ଧର୍ମପ୍ରାଣ ଜନସାଧାରଣଙ୍କ ଯଜ୍ଞ ଓ ଧର୍ମକାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା ସହ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଧର୍ମର ରକ୍ଷା ଏବଂ ଭକ୍ତମାନଙ୍କୁ ଅସୁରଙ୍କ କବଳରୁ ମୁକ୍ତ କରିବା ନିମନ୍ତେ ପ୍ରଭୁ ବଳରାମ ଅବତୀର୍ଣ୍ଣ ହୋଇଥିଲେ। ଭୀଷଣ ସଂଗ୍ରାମ ସମୟରେ ମଧୁଦୈତ୍ୟ ନିଜର ମାୟାବୀ ଶକ୍ତି ପ୍ରୟୋଗ କରି ପ୍ରଭୁଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଶେଷରେ ପ୍ରଭୁ ବଳରାମ ନିଜର ଅମୋଘ ଆୟୁଧ ହଳ ଓ ମୂଷଳ ପ୍ରହାରରେ ମଧୁଦୈତ୍ୟକୁ ନିଧନ କରିଥିଲେ। ଅସୁର ବିନାଶ ପରେ ତୁଳସୀକ୍ଷେତ୍ରରେ ପୁନର୍ବାର ଶାନ୍ତି ଓ ଧର୍ମ ପ୍ରତିଷ୍ଠା ହୋଇଥିଲା। ସେହି ପୌରାଣିକ ବିଜୟ ଗାଥାକୁ ସ୍ମରଣ କରି ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବଳଦେବଜୀଉଙ୍କର ଏହି ମଧୁଦୈତ୍ୟ ସଂହାର ବେଶ ଅନୁଷ୍ଠିତ ହୋଇଆସୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ