ହେରା ପଞ୍ଚମୀରେ କାଳିଆ ସାଅନ୍ତଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ଭିଡ
ଆସିକା (ୱାଇଏନ୍ଏସ୍) : ହେରା ପଞ୍ଚମୀ ତିଥି ଅବସରରେ ସୋମବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଆଡପମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ରଥଯାତ୍ରାର ଚତୁର୍ଥ ଦିବସରେ ଶ୍ରୀମନ୍ଦିର ନୀତି ଅନୁସରଣରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରୀଜିଉମାନେ ଘୋଷଯାତ୍ରା ଠାରୁ କ୍ରମାନ୍ୱୟରେ ମତ୍ସ୍ୟ, କଚ୍ଛପ ଓ ବରାହ ଅବତାରରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ନୃସିଂହ ଅବତାର ବେଶ ଧାରଣ କରିଥିଲେ । ମହାପ୍ରଭୁଙ୍କର ଏହି ଦୃର୍ଲଭ ନୃସିଂହ ଅବତାର ବେଶ ଦର୍ଶନ କରି ଭକ୍ତ ବିମୋହିତ ହୋଇପଡିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଦୀପ, ଧୂପ ଓ ଭୋଗରାଗ ଲଗାଇ କାଳିଆ ସାଅନ୍ତଙ୍କ ପୂଜାର୍ଚ୍ଚନାରେ ମଜି ଯାଇଥିଲେ । ସୋମବାର ହେରା ପଞ୍ଚମୀ ତିଥି ଅବସରରେ ସକାଳୁ ସକାଳୁ ଆଡପମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ବେଳେ ଜୟ ଜଗନ୍ନାଥ ଧ୍ୱନୀରେ ଆଡପ ମଣ୍ଡପ ଗୁଡିକ ପ୍ରକମ୍ପିତ ହୋଇପଡିଥିଲା । ଆସିକା ପୌର ପରିଷଦ ଅଧିନସ୍ଥ ଲାଲାଗୋର୍ଜୀ ଛକ, ବଜାର ସାହି, ଖମ୍ବେଶ୍ୱରୀପାଟଣା, ଆସିକା ନିକଟସ୍ଥ କାଳଷଣ୍ଢପୁର ଏବଂ ଚିନିଶିଳ୍ପ ନୂଆଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଆଡପମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଆଡପ ମଣ୍ଡପ ଗୁଡିକରେ ଦାରୁଦିଅଁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଥିଲା ବେଳେ ସୋମବାର ହେରାପଞ୍ଚମୀ ତିଥୀରେ ଚତୁôର୍ଦ୍ଧା ମୂର୍ତ୍ତିଙ୍କୁ ନୃସିଂହ ଅବତାରରେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିଥିଲେ । ଏଥିପାଇଁ ଆଡପ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଥିଲା ବେଳେ ଚିିନିଶିଳ୍ପ ନୁଆଗାଁ ଆଡପ ମଣ୍ଡପରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ରଥଯାତ୍ରାର ଚତୁର୍ଥ ଦିବସରେ ଜଗତର ନାଥ ଜଗନ୍ନାଥ ନୃସିଂହ ଅବତାରରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟୁଷରୁ ଆଡପ ମଣ୍ଡପ ଗୁଡିକରେ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।


