ଛାତ୍ର ଆୟୁଷ୍ମାନ ମୃତ୍ୟୁ ଘଟଣା : ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅଭିଯୋଗଫର୍ଦ୍ଦ ଦାଖଲ କରୁନି ପୋଲିସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଛାତ୍ର ଆୟୁଷ୍ମାନ ହତ୍ୟାକାଣ୍ଡର ଅଭିଯୋଗଫର୍ଦ୍ଦ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରୁନି। ଫଳରେ ଅଭିଯୋଗକାରୀ ବାଧ୍ୟ ହୋଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅଦାଲତ ଅବମାନମା ମାମଲା ଦାଖଲ କରିବେ ବୋଲି କହିଛନ୍ତି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ଥିବା ମାମୁଁଘରକୁ ମା’ସହିତ ବୁଲି ଆସିଥିଲେ ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ ପୁଅ ଆୟୁଷ୍ମାନ ଓରଫ ଧନ(୧୪)। ତା’ର ମା’ ଗତ ୨୦୨୫ମସିହା ମାର୍ଚ୍ଚମାସ ୧୮ତାରିଖରେ ଘରକୁ ଫେରିଯାଇଥିବା ବେଳେ ଧନ ମାମୁଁଘରେ ରଙ୍ଗ ଖେଳିବାକୁ ରହିଯାଇଥିଲା। ରଙ୍ଗଖେଳ ଦିନ ରଙ୍ଗ ଖେଳିସାରି ମାମୁଁ ଘରେ ଥିବାବେଳେ ତାକୁ ୧୯ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ମାମୁଁଘରୁ ଡାକିନେଇଥିଲେ ଦୁଇଜଣ ସ୍ଥାନୀୟ ଯୁବକ। ତାକୁ ଜୋରଜବରଦସ୍ତ ଥଣ୍ଡା ପାନୀୟରେ ମଦ ମିଶାଇ ପିଆଇବା ପରେ ହତ୍ୟା କରିବା ଉଦେଶ୍ୟରେ ଲୁଣା ନଦୀକୁ ଠେଲି ଦିଆଯାଇଥିଲା। ଫଳରେ ଆୟୁଷ୍ମାନଙ୍କ ମୃତ୍ୟୁ ଘଟିଥିଲା ବୋଲି ଆୟୁଷ୍ମାନଙ୍କ ପିତା ଖଗେଶ୍ୱର ମହାନ୍ତି ସଦର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ ଏକ ହତ୍ୟାମାମଲା ରୁଜୁ କରିବା ସହିତ ଆୟୁଷ୍ମାନ ମୃତ୍ୟୁ ଘଟଣାରେ ଜଡିତ ଥିବା ଜଣେ ନାବାଳକ ସହ ଅନ୍ୟ ଜଣେ ଯୁବକଙ୍କୁ ଥାନାକୁ ଆଣି ଜେରା କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଦୁଇଜଣଙ୍କୁ ପୋଲିସ ଛାଡିଦେଇଥିଲା। ଏନେଇ ମୃତ ଆୟୁଷ୍ମାନଙ୍କ ମାମୁଁ ମୀନକେତନ ମହାନ୍ତି ଓଡିଶା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ସେହି ଆବେଦନର ବିଚାରକରି ଗତ ୨୦୨୫ମସିହା ଡିସେମ୍ବରମାସ ୧୭ତାରିଖରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମାମଲାର ତଦନ୍ତ ଶେଷ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ ନକରିବାରୁ ପୁନର୍ବାର ଆବେଦନକାରୀ ସିଆରଏଲଏମପି ନଂ – ୧୪୨୧/୨୦୨୫ରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ଆବେଦନର ବିଚାର କରି ହାଇକୋର୍ଟ ଗତ ଅପ୍ରେଲ ମାସ ୨୫ତାରିଖରେ କେନ୍ଦ୍ରାପଡା ସଦର ଥାନାଧିକାରୀଙ୍କୁ ୬୦ଦିନ ମଧ୍ୟରେ ତଦନ୍ତ ଶେଷକରି ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ କେନ୍ଦ୍ରାପଡା ଏସପିଙ୍କୁ ଏହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାମଧ୍ୟରେ ୯୦ଦିନ ଅତିକ୍ରମ କରିସାରିଥିଲେ ମଧ୍ୟ ପୋଲିସ ତଦନ୍ତ ଶେଷ କରି ନାହିଁ କି ଏସପି ମଧ୍ୟ ନିଜର ଦାୟିତ୍ୱ ତୁଲାଇନାହାନ୍ତି। ତେଣୁ ଉଭୟ ଥାନାଧିକାରୀ ଓ ଏସପି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିଛନ୍ତି। ଏହାଦ୍ୱାରା ମୃତ ଛାତ୍ରଙ୍କ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଆବେଦନକାରୀ ଶ୍ରୀ ମହାନ୍ତି ପୋଲିସ ବିରୋଧରେ କୋର୍ଟ ଅବମାନନା କେଶ ଦାଖଲ କରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ