ଦଳିତ ଯୁବକଙ୍କୁ ହତ୍ୟା ଧମକ: ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜଣେ ଦଳିତବର୍ଗର ଯୁବକଙ୍କୁ ଜାତିଆଣ ଆକ୍ଷେପ ସହ ହତ୍ୟା କରିବାକୁ ଧମକ ଦିଆଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅଧିନ ଦଶିପୁର ଗ୍ରାମର ଅମୁଲ୍ୟ କୁମାର ମଲିକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଶିପୁର ଗ୍ରାମରେ ଥିବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନିର୍ମାଣାଧିନ ମନ୍ଦିର ଭିତରେ ଗତ ଜୁନମାସ ୨୩ ତାରିଖରେ ବାଲି ପୁରାଯାଉଥିଲା। ଅମୁଲ୍ୟ ସେହି ବାଟଦେଇ ଯାଉଥିବା ବେଳେ ଗ୍ରାମର ବିବେକାନନ୍ଦ ଦାଶଙ୍କ ସହ ହଠାତ ଦେଖାହେବାରୁ ସେ କଥା ହୋଇଥିଲେ। ଠିକ ଏହି ସମୟରେ ସେହି ଗ୍ରାମର ଶାନ୍ତନୁ ଦାଶ ଓ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଦାଶ ହଠାତ ଆସି ବିବେକାନନ୍ଦଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଧରି ମାରିଦେବାକୁ ଉଦ୍ୟମ କଲେ। ଏହି ଘଟଣାର ଫଟୋ ଉଠାଇବାକୁ ବିବେକାନନ୍ଦ ଅମୂଲ୍ୟଙ୍କୁ କହିବାରେ ସେ ତାଙ୍କ ମୋଇବାଲଇଟି ନେଇ ଫଟୋ ଉଠାଇଥିଲେ। ଫଳରେ ଉଭୟ ଶାନ୍ତନୁ ଓ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କ ସମେତ ୪ଜଣ ତାଙ୍କୁ ଜାତିଆଣ ଆକ୍ଷେପ କରି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲେ। ଏସମ୍ପର୍କରେ ଅମୂଲ୍ୟ ଜୁଲାଇମାସ ୩ତାରିଖରେ ରାଜକନିକା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଅଭିଯୋଗ ଉପରେ ରାଜକନିକା ଥାନା ପକ୍ଷରୁ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଅଭିଯୁକ୍ତମାନଙ୍କ ନାମରେ ରାଜକନିତା ଥାନାରେ ପୂର୍ବରୁ ବିଭିନ୍ନ ସଂଗୀନ ମାମଲା ରହିଛି। ତେଣୁ ଅପୂର୍ବଙ୍କ ଜୀବନପ୍ରତି ବିପଦ ଥିବାରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ