ଜୋର୍ ଧରିଲା ହାଟଡିହି କୁ ଏନ.ଏ.ସି ଘୋଷଣା ଦାବି
ହାଟଡିହି (ଓ୍ବାଇଏନଏସ) : ଅବିଭକ୍ତ ହାଟଡିହି ପଞ୍ଚାୟତକୁ ନେଇ ଏନ୍ ଏ ସି ଘୋଷଣା ଦାବି ଜୋର ଧରିଛି। ହାଟଡିହି, ଶାସଙ୍ଗ, ମରେଇଗାଁ ପ୍ରଭୃତି ତିନୋଟି ପଞ୍ଚାୟତକୁ ନେଇ ଏନ.ଏ.ସି ଘୋଷଣା କରିବାକୁ ଦାବି କରିଛି ବରିଷ୍ଠ ନାଗରିକ ପରିଷଦ। ସମୟ ଚକ୍ରରେ ପୂର୍ବର ଅବିଭକ୍ତ ହାଟଡିହି ପଞ୍ଚାୟତଟି ଜନସଂଖ୍ୟା ଦୃଷ୍ଟିରୁ ଏବେ ୪ଟି ପଞ୍ଚାୟତରେ ପରିଣତ ହେଲାଣି। ଏଠାରେ ବ୍ଲକ, ତହସିଲ୍, ଜେ.ଏମ.ଏଫ୍.ସି କୋର୍ଟ, ସବ ରେଜିଷ୍ଟ୍ରାର, ଫାୟାର ଷ୍ଟେସନ, ହାଟଡିହି କଲେଜ, ବିଶ୍ୱ ତାରିଣୀ ମହିଳା କଲେଜ, ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ଥାନା, ଡାକ୍ତରଖାନା ଜଳ ଯୋଗାଣ କାର୍ଯ୍ୟାଳୟ ଭଳି ଅଫିସ୍ ଗୁଡ଼ିକ ଥିବାବେଳେ ଏହାର ଲୋକସଂଖ୍ୟା ୧୬ହଜାରରୁ ଉର୍ଦ୍ଧ୍ୱ। ଏଣୁ ହାଟଡିହି କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଉ ନାହିଁ। ତେଣୁ ଏହି ତିନୋଟି ପଞ୍ଚାୟତକୁ ନେଇ ହାଟଡିହି ଏନ. ଏ. ସି ମାନ୍ୟତା ପ୍ରଦାନ କରିବାକୁ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏନେଇ ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ଵାଇଁ, ମରେଇ ଗାଁ ସରପଞ୍ଚ ସତ୍ୟଭାମା ଜେନା, ବରିଷ୍ଠ ନାଗରିକ ପରିଷଦ ର ସଭାପତି ସାରଙ୍ଗଧର ଜେନା, ସମ୍ପାଦକ ଡାକ୍ତର ଗୋଲକ ବିହାରୀ ନାୟକ, ନିରାକାର ପାତ୍ର, କାମପାଳ ନାୟକ, ଅନାଦି ଚରଣ ବିଶ୍ଵାଳ, କୃଷ୍ଣ ଚନ୍ଦ୍ର ଜେନା, ମଧବାନନ୍ଦ ନାୟକ, ମଧୁସୂଦନ ନାୟକ, ଆନନ୍ଦ ଚନ୍ଦ୍ର ଜେନା, ରବୀନ୍ଦ୍ର କୁମାର ଜେନା, ଦୟାନିଧି ବ୍ରହ୍ମ, ଚିନ୍ତାମଣି ସ୍ବାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରଯାଇଛି।


