ଦନ୍ତ ଚିକିତ୍ସକ ମିଲନ କୁମାରଙ୍କୁ ଏକଲକ୍ଷ ଜୋରିମାନା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଦନ୍ତ ଚିକିତ୍ସକ ଡା.ମିଲନ କୁମାରଙ୍କୁ ଏକଲକ୍ଷ ଟଙ୍କା ଜୋରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ୪୫ଦିନ ମଧ୍ୟରେ ଡାକ୍ତର ମିଲନ କୁମାର ଅଭିଯୋଗକାରିଣୀଙ୍କୁ ଏହି ଅର୍ଥ ପ୍ରଦାନ କରିବେ। ଅର୍ଥ ପ୍ରଦାନରେ ବିଳମ୍ବ ହେଲେ ୬ପ୍ରତିଶତ ସୁଧ ସହ ମୂଳ ଅର୍ଥ ଡାକ୍ତର ଅଭିଯୋଗକାରିଣୀଙ୍କୁ ଦେବେ। ଅଭିଯୋଗକାରିଣୀଙ୍କର ମାନସିକତାକୁ ଆଘାତ ଦେବା, ତାଙ୍କୁ ନିର୍ଯ୍ୟାତନା ଦେବା, ଆର୍ଥିିକ କ୍ଷତି ଓ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ଏହି ଅର୍ଥ ତାଙ୍କୁ ପ୍ରଦାନ କରାଯିବ ବୋଲି ଆୟୋଗ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ସଦରଥାନା ଅଧିନ ମରଡପୁର ଗ୍ରାମର ସ୍ୱର୍ଗତ ଶରତ ଚନ୍ଦ୍ର ମହାନ୍ତିଙ୍କ ଝିଅ କୁମାରୀ ନଳିନୀ ମହାନ୍ତି କେନ୍ଦ୍ରାପଡା ଟାଉନ ଥାନା ଅଧିନ ବଳଗଣ୍ଡିବଜାରର ସୁଭଦ୍ରା ଡ୍ରଗହାଉସ ଉପରମହଲାରେ ଥିବା ୩୨ଜେଏମଏସ ଅଫ ସ୍ମାଇଲର ଦାନ୍ତ ଡାକ୍ତର ମିଲନ କୁମାରଙ୍କ ନିକଟରେ ତାଙ୍କ ଦାନ୍ତର ଚିକିତ୍ସା କରାଇଥିଲେ। ଏଥିନିମନ୍ତେ କୁମାରୀ ମହାନ୍ତି ଡାକ୍ତର ମିଲନ କୁମାରଙ୍କ ପାଖକୁ ବାରମ୍ବାର ଯିବା ସହ ପ୍ରାୟ ୫୬ହଜାର ଟଙ୍କା ଫିସ ଓ ଅନ୍ୟାନ୍ୟ ବାବଦକୁ ଡା. ମିଲନ କୁମାରଙ୍କୁ ଦେଇଥିଲେ। କିନ୍ତୁ ସେଠାରେ ଚିକିତ୍ସା ପରେ ତାଙ୍କ ଦାନ୍ତ ଯନ୍ତ୍ରଣା ଠିକ ହେବା ପରିବର୍ତ୍ତେ ଅଧିକ ଖରାପ ହୋଇଥିଲା। ଫଳରେ ସେ ବାଧ୍ୟ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲକୁ ଯାଇ ଦାନ୍ତର ଚିକିତ୍ସା କରାଇଥିଲେ। ଏହାଦ୍ୱାରା ସେ ଅଧିକ ଖର୍ଚ୍ଚାନ୍ତ ହେବା ସହ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗକରିଥିଲେ। ତେଣୁ ସେ ବାଧ୍ୟ ହୋଇ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗରେ ଆବେଦନ କରିବା ପରେ ଆୟୋଗ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।


