ଶ୍ରୀରାମପୁର ଗ୍ରାମରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟ ନିମ୍ନମାନର
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ଶ୍ରୀରାମପୁର ଗ୍ରାମରେ ‘ବିକଶିତ ଗାଁ ବିକଶିତ ଓଡିଶା’ଯୋଜନାରେ ହୋଇଥିବା ପ୍ରକଳ୍ପ ନିମ୍ନମାନର ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ‘ବିକଶିତ ଗାଁ ବିକଶିତ ଓଡିଶା’ଯୋଜନାରେ ଶ୍ରୀରାମପୁର ଗ୍ରାମର ୧୪ନମ୍ବର ୱାର୍ଡର ବାବାଜୀ ସେଠୀ ଘର ଠାରୁ ଠାକୁରାଣୀ ପର୍ଯ୍ୟନ୍ତ ଢଳେଇ ରାସ୍ତା ନିମନ୍ତେ ୪ଲକ୍ଷ ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ଏହି ରାସ୍ତା ନିର୍ମାଣ ପାଇଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଇଂ ବନ୍ଦିତା ବେହୁରାଙ୍କ ନାମରେ କାର୍ଯ୍ୟାଦ୍ଦେଶ ଦିଆଯାଇଥିଲା। ମାତ୍ର ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେବା ସହିତ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଛି। ଫଳରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ମାସକ ମଧ୍ୟରେ ରାସ୍ତାର କେତେକ ଅଂଶ ଭୁଷୁଡି ପଡିବା ସହ ଗୋଡି ଉଠିଯାଇଥିବା ଅଭିଯୋଗ ହୋଇଛି। ସରକାରୀ ଅଟ୍ଟକଳ ଅନୁଯାୟୀ ଚାରି ଇଞ୍ଚର ମେଟାଲିଂ ଓ ଚାରି ଇଞ୍ଚର ଚିପ୍ସ ମୋଟ ଆଠ ଇଞ୍ଚର ଢଳେଇ ହେବାକୁ ଥିବାବେଳେ ଦୁଇ ଇଞ୍ଚର ମେଟାଲିଂ ଓ ଦୁଇ ଇଞ୍ଚର ଚିପ୍ସରେ ଢଳେଇ କରାଯାଇଛି। ଫଳରେ ଏହି ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସରକାରଙ୍କ ଜନମଙ୍ଗଳ ଯୋଜନା ସଫଳ ହେବା ପରିବର୍ତ୍ତେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଅଭିଯୋଗ କରାଯାଇଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେମାନେ ବାଧ୍ୟହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦୁର୍ଯ୍ୟୋଧନ ପରିଡା, ପ୍ରେମାନନ୍ଦ ସେଠୀ, ଗୋଲେଖ ମଳିକ, ସଞ୍ଜୟ କୁମାର ରାଉତ, ସତ୍ୟରଞ୍ଜନ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରି ଦାବି କରିଛନ୍ତି। ଏହାର ନକଲ ଜିଲ୍ଲା ପରିଷଦର ମୁଖ୍ୟନିର୍ବାହୀ ଅଧିକାରୀ ଓ ଭିଜିଲାନ୍ସ ବିଭାଗକୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।


