ବଳିଆପଣ୍ଡା ବୋମାମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତର ଜାମିନ୍‌ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ(ଓ୍ବାଇଏନଏସ) : ପୁରୀ ବଳିଆପଣ୍ଡାଠାରେ ହୋଇଥିବା ବୋମାମାଡ଼ ଘଟଣାରେ ଅଭିଯୁକ୍ତ ଧୀରେନ୍ଦ୍ରନାଥ ବରାଳ ଓରଫ ପପୁର ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ବିବରଣୀରୁ ପ୍ରକାଶ, ବଳିଆପଣ୍ଡା ହାଉସିଂହବୋର୍ଡ କଲୋନିସ୍ଥିତ ସ୍ବପ୍ନା ଇନ୍‌ ହୋଟେଲ୍‌ର ମାଲିକ ଶିବୁନା ପଲେଇ ଓ ତାଙ୍କ ବନ୍ଧୁମାନଙ୍କ ଉପରକୁ ଫେବ୍ରୁଆରି ୧୦ ତାରିଖରେ ବୋମାମାଡ଼ ହୋଇଥିଲା। ଲୋକନାଥ ରାସ୍ତା ପଟୁ ଦୁଇଜଣ ଅଭିଯୁକ୍ତ ଏକ ସ୍କୁଟିରେ ଆସି ତିନୋଟି ବୋମା ଫିଙ୍ଗିଥିଲେ। ସୌଭାଗ୍ୟବଶତଃ ଶିବୁନା ଓ ତାଙ୍କ ସାଙ୍ଗମାନଙ୍କର ବିଶେଷ କ୍ଷତି ହୋଇ ନଥିଲା। ତେବେ ଏହା ପ୍ରଭାବରେ ହୋଟେଲ୍‌ର କାଚ ଝରକା, କବାଟ ଓ କାନ୍ଥଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ପରେ ଶିବୁନା ବଳିଆପଣ୍ଡା ଥାନାରେ ଏତଲା ଦେବା ପରେ ପୁଲିସ୍‌ ଅଭିଯୁକ୍ତ ପପୁ ସହିତ ଅନ୍ୟମାନଙ୍କୁ ଗିରଫ କରିଥିଲା। ଆବେଦନକାରୀ ଏବେ ୬୫ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ବେଳେ ସେ ଏଭଳି ଅପରାଧ ଘଟାଇ ପାରିବେନି ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। କିନ୍ତୁ ପୂର୍ବରୁ ଆବେଦନକାରୀ ୩୮ଟି ଅପରାଧିକ ମାମଲା‌ରେ ଜଡ଼ିତ ଥିବାରୁ ତାଙ୍କୁ ଅଭ୍ୟାସଗତ ଅପରାଧୀ ଭାବେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଜାମିନ୍‌ରେ ବାହାରିଲେ ସେ ପୁଣି ଏଭଳି ଅପରାଧିକ କାଣ୍ଡ ଘଟାଇ ପାରନ୍ତି ବୋଲି ଆଶଙ୍କା କରାଯାଇଥିଲା। ଏଥିସହିତ ଘଟଣା ଦିନର ସିସିଟିଭି ଫୁଟେଜ୍‌ରେ ଆବେଦନକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିବା ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ତେବେ ଉଭୟ ପକ୍ଷର ଯୁକ୍ତିକୁ ବିଚାରକୁ ନେଇ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଆବେଦନକାରୀଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଥିଲେ। ସରକାରଙ୍କ ପକ୍ଷରୁ ଏଜିଏ ସର୍ବେଶ୍ବର ବେହେରା ମାମଲା ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ