ମିଳୁନି ଭତ୍ତା, ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ
ହାଟଡିହି (ଓ୍ବାଇଏନଏସ): ସରକାର ପ୍ରତି ମାସର ୧୫ ତାରିଖରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଅର୍ଥ ପ୍ରଦାନ କରୁଥିବା ବେଳେ ଦୁଇ ମାସ ହେଲା ଅନଲାଇନ ହିତାଧିକାରୀ ମାନେ ଭତ୍ତା ନପାଇ ନାନା ସମସ୍ୟା ଭୋଗୁଛନ୍ତି। ଅପଲାଇନରେ ହାତାହାତି ଭତ୍ତା ପାଉଥିବା ହିତାଧିକାରୀ ମାନେ ନିୟମିତ ଭତ୍ତା ପାଉଥିବା ବେଳେ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ଆଜି ପର୍ଯ୍ୟନ୍ତ ଭତ୍ତା ନପାଇ ହାତୋତ୍ସାହିତ ହୋଇ ପଡିଛନ୍ତି। ସରକାରଙ୍କ କାହିଁକି ଏ ପାତର ଅନ୍ତର ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଆଜି ବଡ଼ରମ୍ପାସ ପଞ୍ଚାୟତର ହିତାଧିକାରୀ ମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଏହାର ପ୍ରତିବାଦ କରିଛନ୍ତି। ଗ୍ରାମର ହିତାଧିକାରୀ କୈଳାଶ ଜେନା କହିଛନ୍ତି ଯେ ସେ ଏହି ଭତ୍ତା ଟଙ୍କାରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଔଷଧ ପତ୍ର ଠାରୁ ଆରମ୍ଭ କରି ତେଲ ଲୁଣ ସଉଦା ଆଣି ଚଳି ଥାନ୍ତି। ଦୁଇମାସ ହେଲା ଭତ୍ତା ମିଳୁ ନଥିବାରୁ ନାନା କଷ୍ଟରେ ଚଳୁଛନ୍ତି। ସେହିପରି ଶତ୍ରୁଘ୍ନ ଖୁଣ୍ଟିଆ ନାମକ ଜଣେ ହିତାଧିକାରୀ କହିଛନ୍ତି ଯେ ପ୍ରତ୍ୟେକ ମାସର ୧୫ ତାରିଖକୁ ଅନାଇ ଥାଉ, ଭତ୍ତା ଆସିବ, ଔଷଧ କିଣା ହେବ ଓ ମାସକ ପାଇଁ ସଉଦା ଆଣିବୁ। କିନ୍ତୁ ତାହା ଆଉ ହେଉନି। ଭତ୍ତା ମିଳିବାର ନିର୍ଦ୍ଧିଷ୍ଟ ଦିନ ଆଉ ନାହିଁ, ଦୁଇ ମାସ ହେଲା ଆଦୌ ଭତ୍ତା ଆସୁନି। ପଞ୍ଚାୟତରୁ ପାଉଥିବା ହିତାଧିକାରୀ ଭତ୍ତା ପାଉଥିବା ବେଳେ ଆମେ ପାଉନୁ। ଆଜି ଅପ ଲାଇନ ଵାଲା ଭତ୍ତା ନେଉଛନ୍ତି ଆମେ ଭକୁଆ। କେଉଁଦିନ ଭତ୍ତା ମିଳିବ ସେନେଇ କେହି ଆମକୁ ଉତ୍ତର ଦେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଖାଲି ଗୋଟିଏ ପଞ୍ଚାୟତ ନୁହେଁ ବ୍ଲକର ସମସ୍ତ ପଞ୍ଚାୟତରେ ଏପରି ସମସ୍ୟା ସୃଷ୍ଟି ହୋଇଛି। ହାଟଡିହି ବ୍ଲକରେ ମୋଟ ୨୨୫୮୮ ଜଣ ହିତାଧିକାରୀ ଭତ୍ତା ପାଉଥିବା ବେଳେ ୭୬୫୬ ଜଣଙ୍କୁ ଅନଲାଇନ୍ ଭତ୍ତା ଦିଆ ଯାଉଥିବା ବେଳେ ୧୪୯୩୨ ଜଣ ହିତାଧିକାରୀ ହାତାହାତି ଭତ୍ତା ପାଉଛନ୍ତି। ୧୪୯୩୨ ହିତାଧିକାରୀ ଭତ୍ତା ପାଇ ସାରିଥିବା ବେଳେ ୭୬୫୬ ହିତାଧିକାରୀ ଭତ୍ତା ପାଇପାରି ନାହାନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି ବ୍ୟବସ୍ଥାରେ ସୁଧାର ଆଣି ପୂର୍ବଭଳି ପ୍ରତିମାସ ୧୫ ତାରିଖରେ ଭତ୍ତା ଯୋଗାଇ ଦେବାକୁ ଜାନକୀ ବଳ, ଶୁଶାନ୍ତ କୁମାର ସେନାପତି, ଗୋଲକ ବିହାରୀ ସେନାପତି, ଭଗବତି ସେନାପତି, ପୀତବାସ ଖୁଣ୍ଟିଆ, ଯଦୁନାଥ ସାହୁ, ଅନୁପମା ସାହୁ, ସୁବଳ ଓଝା, ଦୁର୍ଗା ଚରଣ ସେନାପତି, ପାକନ ଜେନା, ତାରାମଣି ସେନାପତି, ପ୍ରଣକୃଷ୍ଣ ସେନାପତି, ପଞ୍ଚାଳୀ ଜେନା, ମାଣିକ ଜେନା, ନିରାକାର ପଣ୍ଡା, ମାଳତୀ ସାହୁ, ଶମ୍ଭୁନାଥ ଜେନା, ସାବିତ୍ରୀ ସାହୁ, ତୁଳସୀ ସୂତାର, ଉରମଲା ସା, ସତ୍ୟଭାମା ସେନାପତି, ଲକ୍ଷ୍ମଣ ସେନାପତି, ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ର ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ବ୍ଲକ ତରଫରୁ କିଛି ସମସ୍ୟା ହୋଇନି, ଜିଲ୍ଲା ସ୍ତରରୁ ଏହା ସିଧା ସଳଖ ଏକାଉଣ୍ଟକୁ ଦିଆ ଯାଇଥାଏ। ଚଳିତ ମାସ ଶେଷ ସୁଧା ଏହା ଦିଆଯିବ ବୋଲି ସେ କହିଛନ୍ତି।


