ତାଲିମପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମାର୍ଗଦର୍ଶିକା ପୁସ୍ତିକା ବଣ୍ଡନ

ଆସିକା  (ୱାଇଏନ୍‍ଏସ୍‍): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଓଡିଶା ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସହଯୋଗରେ ଜନଗଣନା ଚାଲିଛି । ଏହି ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି ଆଗାମୀ ୧୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ତାଲିମ୍‍ ପ୍ରାପ୍ତ ଗଣନାକାରୀ ସୁପରଭାଇଜରମାନେ ଘରକୁ ଘର ବୁଲି ମୋବାଇଲ୍‍ ଆପ୍‍ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସଂପନ୍ନ କରିବା ପାଇଁ ଆସିକା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ୨୭୨ ଜଣ ଶିକ୍ଷକ ଏବଂ ୫୩ ଜଣ ହାଇସ୍କୁଲ ଶିକ୍ଷକଙ୍କୁ ସୁପରଭାଇଜର୍‍ ଭାବେ ନିଯୁକ୍ତି କରାଯାଇଥିବା ଜଣାପଡିଛି । ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱଗଣନା କାର୍ଯ୍ୟକ୍ରମ ଆସନ୍ତାକାଲି ଅର୍ଥାତ୍‍ ୧୫ ତାରିଖ ମଧ୍ୟରାତ୍ରରେ ଶେଷ ହେବ । ଏହି ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ତାଲିମପ୍ରାପ୍ତ ଗଣନାକାରୀ ଓ ସୁୁପରଭାଇଜରମାନଙ୍କୁ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଚାର୍ଜ ଅଫିସର ତଥା ଆସିକା ତହସିଲଦାର ସଙ୍ଗୀତା ସେଣଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର, ପରିଚୟ ପତ୍ର ଓ ଜନଗଣନା ସମ୍ବନ୍ଧୀୟ ମାର୍ଗଦର୍ଶିକା ପୁସ୍ତିକା ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସ୍ୱଚ୍ଛତାର ସହ ନିର୍ଭୁଲ ଓ ନିଷ୍ଠାପର ଭାବେ ସଂପନ୍ନ କରିବାକୁ ଅତିରିକ୍ତ ଚାର୍ଜ ଅଫିସର ତଥା ଆସିକାର ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ଓ ମାଷ୍ଟର ଟ୍ରେନର୍‍ ଶିବଶଙ୍କର ଜେନା, ରାମନାଥ ପଟ୍ଟନାୟକ ପ୍ରମୁଖ ସହଯୋଗ କାମନା କରିଥିବା ଦେଖିବାକୁ ମିଳିଛି । ଆସିକାରେ ଅନୁଷ୍ଠିତ ଗଣନାକାରୀ ଓ ସୁପରଭାଇଜରମାନଙ୍କୁ ନିଯୁକ୍ତିପତ୍ର, ପରିଚୟପତ୍ର ଓ ଜନଗଣନା ସମ୍ବନ୍ଧୀୟ ମାର୍ଗଦର୍ଶିକା ପୁସ୍ତିକା ପ୍ରଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦାୟିତ୍ୱରେ ଶିକ୍ଷକ ତାରାପ୍ରସାଦ ମିଶ୍ର, ଅମୂଲ୍ୟ କୁମାର ଦାଶ, ରବିନ୍ଦ୍ର ସାହୁ, ଲବ ସେଠୀ, ପ୍ରିତେଶ୍‍ ଜେନା, ଅମିୟରଂଜନ ନାୟକ, ସନ୍ଧ୍ୟାରାଣୀ ବେହେରା, ନିଳାମ୍ବର ମହାନ୍ତି, ସୋମନାଥ ଦାଶ, ରାଜ କୁମାର ସ୍ୱାଇଁଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ