ଧାମନଗର (ଓ୍ବାଇଏନଏସ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ପୁଣି ବଢ଼ିଛି। ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଥିବାରୁ ଧାମନଗର ବୈତରଣୀ ନଦୀର ଶାଖା ଗେଙ୍ଗୁଟି,କୋଚିଳା,ମଲିମାହାରା,ଗୌରାଙ୍ଗପୁର ଏସକେପରେ ବନ୍ୟା ଜଳ ପ୍ରଭାବିତ ହୋଇ ବିଭିନ୍ନ ନଦୀକୂଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବନ୍ୟା ମୁକାବିଲା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ସକାଳ ୧୦ଟାରେ ଧାମନଗର ପଞ୍ଚାୟତ ସମିତି ସଭାଗୃହ ପରିସରରେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ,ଜିଲ୍ଲା ଚିକିତ୍ସାଧିକାରୀ ଡା.ପ୍ରମୋଦ ପ୍ରହରାଜ,ବ୍ଲକ ଉନ୍ନୟନ ଅଧିକାରୀ ବନବିହାରୀ ଦିନ୍ଦା,ତହସିଲଦାର ଜ୍ଞାନରଞ୍ଜନ ସାହୁ,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ଯୋଗାଣ ଅଧିକାରୀ ପ୍ରୀତିଶ ରଞ୍ଜନ ସାମଲ,ସିଡିପିଓ ଦମୟନ୍ତି ଦେଇ,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନ୍ମୟ ସାମନ୍ତ ସିଂହାର,ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବନ୍ୟା ପ୍ରଭାବିତ ତଳିଆ ଅଞ୍ଚଳବାସୀଙ୍କୁ ଜରୁରୀ ପରିସ୍ଥିତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା,ରିଲିଫ୍ ଓ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ପ୍ରାଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅପରାହ୍ନ ୨ଟା ସମୟରେ ଧାମନଗର ଜଳସେଚନ ବିଭାଗ ଡାକବଙ୍ଗଳା ପରିସରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ,ସାଂସଦ ଅଭିମନ୍ୟୁ ସେଠୀ ଏବଂ ସ୍ଥାନୀୟ ରାଜନେତା ମାନଙ୍କ ସହ ଦିତୀୟ ବନ୍ୟା ପରିସ୍ଥିତିକୁ କିପରି ମୁକାବିଲା କରାଯିବ ସେନେଇ ଏକ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ,ବିଡ଼ିଓ ବନବିହାରି ଦିନ୍ଦା,ମନୋଜ ମଲ୍ଲିକ,କୈଳାସ ଚନ୍ଦ୍ର ମହାପାତ୍ର,ଚତୁର ଭୁଜ ନାୟକ,ବିଜୟ ରାମ,ରାମଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ,ଆବଶ୍ୟକ ସହାୟତା ଯୋଗାଣ ଏବଂ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ନେଇ ଗୁରୁତ୍ୱ ଦିଆଯାଇଛି। ବନ୍ୟା ପରିସ୍ଥିତିରେ ଲୋକଙ୍କ ସହ ରହି, ପ୍ରତ୍ୟେକ ଜରୁରୀ ସମସ୍ୟାର ସମାଧାନ ପାଇଁ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ବିପଦ ସମୟରେ ଲୋକଙ୍କ ସୁରକ୍ଷା ହିଁ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରାଥମିକତା ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବନ୍ୟା ପରିସ୍ଥିତିକୁ ନେଇ ଧାମନଗର ପ୍ରଶାସନ ପକ୍ଷରୁ ଆନନ୍ଦପୁର,ଖଡ଼ିପଦା, ମୁସ୍ତଫାପୁର,ଦୋବଲ,ଦଳାଙ୍ଗ,କରଦା,ପଧାନି,ସୋହଡ଼ା, ହସନାବାଦ,ଅର୍ଜୁନପୁର,ନଦିଗାଁ ଓ ଭଟସାହି ପଞ୍ଚାୟତ,ଧୁଷୁରୀ ଏନ ଏ ସିକୁ ସଜାଗ କରାଯାଇଛି। ପରେ ମନ୍ତ୍ରୀ ଓ ସାଂସଦ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମଧ୍ୟାହ୍ନରେ ଦୋବଲ ଗେଙ୍ଗୁଟି ନଦୀ ପୋଲ ବୁଡ଼ିଯିବାରୁ ଦୋବଲ-ଷେଣ୍ଢପୁର ରାସ୍ତାରେ ଯାତାୟାତ ବନ୍ଦ ହୋଇଛି। ଖଡ଼ିପଦା-ଆନନ୍ଦପୁର ରାସ୍ତା ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୨୦.୪୫ ମିଟରରେ ପହଞ୍ଚିଥିଲା। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଧାମନଗର ଥାନା ଅଧୀନ ପାହାଡ଼ପୁର ଯେନାସାହିର ଗଣେଶ ଯେନା (୫୦) ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଗଣେଶଙ୍କ ସମେତ ୫ଜଣ ଚାଷୀ ଧାନ ରୋଇବା ପାଇଁ ବିଲକୁ ଯାଇଥିଲେ। ଏହି ସମୟରେ ବନ୍ୟାଜଳ ବଢ଼ିବାରୁ ସେମାନେ ଘରକୁ ଫେରୁଥିଲେ। ନଦୀ ନିକଟରେ ପ୍ରବଳ ପାଣିସ୍ରୋତ ମଧ୍ୟରେ ଗଣେଶ ଭାସିଯାଇଥିଲେ। ତାଙ୍କ ସହ ଥିବା ଅନ୍ୟ ଜଣେ ଚାଷୀ କୌଣସିମତେ କୂଳକୁ ଉଠିଆସିଥିଲେ। ଖବର ପାଇ ପରିବାର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଉଦ୍ଧାରକାରୀ ଦଳ ମଧ୍ୟ ସନ୍ଧାନ ଆରମ୍ଭ କରିପାରିନଥିଲା। ବନ୍ୟା ମୁକାବିଲା ପାଇଁ ଜିଲ୍ଲା ଓ ବ୍ଲକ ପୋଲିସ ପ୍ରଶାସନ ସଜାଗ ରହିଥିବା ବେଳେ ଉଦ୍ଧାରକାରି ଦଳମହଜୁଦ ରହିଛି ବୋଲି ସୂଚନା ଦିଆଯାଇଛି।ତେବେ ଖବର ଲେଖିବା ପର୍ଯ୍ୟନ୍ତ ଚାଷୀ ନିଖୋଜ ଥିବା ସୂଚନା ମିଳିଛି।