କଲେଜଛକ ଅଞ୍ଚଳରେ ଡ୍ରେନେଜ୍‍ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆସିକା (ୱାଇଏନ୍‍ଏସ୍‍): ଆସିକା-କବିସୂର୍ଯ୍ୟନଗର ମୁଖ୍ୟରାସ୍ତାର ୩୦ ନମ୍ବର ରାଜ୍ୟ ରାଜପଥର ଆସିକା କଲେଜ ଛକ ଅଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ଯୋଗୁଁ ଶନିବାର ହୋଇଥିବା ଅସରାଏ ବର୍ଷାରେ ବର୍ଷା ପାଣି ନିଷ୍କାସିତ ନହୋଇ ଦୀର୍ଘ ସମୟ ଧରି ରାସ୍ତାରେ କୃôତ୍ରିମ ବନ୍ୟା ୁପରିସ୍ଥିତି ସୃଷ୍ଟି ହେବା ସହ ବର୍ଷାପାଣି ଲହୁଡି ମାରୁଥିଲେ ମଧ୍ୟ ସମସ୍ୟାକୁ ସମାଧାନ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଦୀର୍ଘ ବର୍ଷ ଧରି ବ୍ୟସ୍ତବହୁଳ ଆସିକା କଲେଜଛକ ଅଞ୍ଚଳରେ ଲାଗିରହିଥିବା ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କେବେ ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଜଣାପଡିଛି । ବର୍ଷା ହେଲେ ଆସିକା କଲେଜଛକ ଅଞ୍ଚଳବାସୀ ଭୟଭୀତ ହୋଇପଡୁଛନ୍ତି । ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ କଲେଜଛକ ଅଂଚଳର ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ରେ ଜଳ ନିଷ୍କାସନ ପାଇଁ ଡ୍ରେନ୍‍ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଠିକ୍‍ ଭାବେ ହୋଇନଥିବା ଯୋଗୁଁ ଅସରାଏ ବର୍ଷାରେ ବର୍ଷା ଜଳ ନିଷ୍କାସନରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ସାମାନ୍ୟ ବର୍ଷାରେ ବର୍ଷାଜଳ ନିଷ୍କାସନ ହୋଇନପାରି କଲେଜଛକ ଅଞ୍ଚଳରେ ଦୀର୍ଘ ସମୟ ଧରି ରାସ୍ତାରେ ବର୍ଷାପାଣି ଲହୁଡି ମାରୁଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ଜନସାଧାରଣଙ୍କ ଯାତାୟାତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି । ବ୍ୟସ୍ତବହୁଳ ଆସିକା-କବିସୂର୍ଯ୍ୟନଗର ରାସ୍ତାର କଲେଜଛକ ଅଂଚଳ ଦେଇ ଦୈନିକ ଶହ ଶହ ଯାନବାହାନ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତାୟାତ କରିଥାନ୍ତି । ବର୍ଷାଜଳ ନିଷ୍କାସନରେ ଦୀର୍ଘ ସମୟ ଧରି ସମସ୍ୟା ସୃଷ୍ଟି ହେବା ଯୋଗୁଁ ବହୁ ବ୍ୟକ୍ତି ଜଳବନ୍ଦୀ ହୋଇ ରହୁଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାରି ଫଳରେ ଅସରାଏ ବର୍ଷା ହେଲେ ସ୍ଥାନୀୟ ଅଂଚଳର ବାସ୍ତବ ସ୍ଥିତି ପଦାରେ ପଡୁଛି । ବର୍ଷ ବର୍ଷ ଧରି ବର୍ଷାଜଳ ନିଷ୍କାସନ କଲେଜଛକ ଅଂଚଳବାସୀଙ୍କ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜ୍‍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । କଲେଜଛକ ଅଞ୍ଚଳବାସୀଙ୍କ ପାଇଁ ଏହି ସମସ୍ୟା ନୁଆଁ ନଥିବା ବେଳେ ପ୍ରଶାସନ ପକ୍ଷରୁ ବର୍ଷାଜଳ ନିଷ୍କାସନ ଦିଗରେ ସ୍ଥାୟୀ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ବର୍ଷା ହେଲେ ଡ୍ରେନ୍‍ ଓ ରାସ୍ତା ଏକାକାର ହୋଇଯାଉଛି । କେଉଁଠି ଡ୍ରେନ୍‍ ଓ କେଉଁଠି ନାଳ କିଛି ଜଣାପଡୁନାହିଁ । ରାସ୍ତାର ବର୍ଷାପାଣି ଦୀର୍ଘ ସମୟ ଧରି ଜମାଟ ବାନ୍ଧି ରହିବା ସହ ଲୋକଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କଲେଜଛକ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି ଜଳ ନିଷ୍କାସନ ପଥକୁ ସୁଗମ କରିବା ଦିଗରେ ପଦକ୍ଷେପ ନେବାକୁ ଯୁବ ସମାଜସେବୀ ଆକାଶ ସ୍ୱାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ