ଷଣ୍ଢ ଆକ୍ରମଣରେ ଇଞ୍ଜିନିୟର ମୃତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଷଣ୍ଢ ଆକ୍ରମଣରେ କେନ୍ଦ୍ରାପଡା ସହରସ୍ଥ ତଳବାରଙ୍ଗ ଗ୍ରାମର ଇଂ ନିର୍ମଳ ଚନ୍ଦ୍ର ଦାସ(୪୮)ଙ୍କ ମୃତ୍ୟୁ ହୋଇଯାଇଛି। ସରକାରୀ ବାସଗୃହକୁ ସାଇକଲରେ ଆସୁଥିବା ବେଳେ ଏକ ଷଣ୍ଢ ତାଙ୍କୁ ଶିଙ୍ଗରେ ଟେକି ଫୋପାଡି ଦେଇଥିଲା। ଇଂ ନିର୍ମଳଙ୍କ ପଛପଟ ମୁଣ୍ଡ ଫାଟି ଯାଇଥିଲା । ସଜ୍ଞାହୀନ ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମର ଶରୀରକୁ ଏସସିବିରେ ଶବ ବ୍ୟବଚ୍ଛେଦ କରାଯାଇ ଆଜି କେନ୍ଦ୍ରାପଡ଼ା ବାସଭବନକୁ ଅଣାଯାଇଥିଲା। ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନ୍ଜୀବୀ ଧରଣୀଧର ନାୟକ, ପରେଶ ଦାସ, ଆଇନଜୀବୀ ପ୍ରଦୀପ ଦାସ, ପାରାଦ୍ୱୀପ ବନ୍ଦରର ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ଆଜି ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ବେଳେ ଜ୍ୟେଷ୍ଠା କନ୍ୟା ମୁଖାଗ୍ନୀ ଦେଇଥିଲେ।


