ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକା : ବୈଷୟିକ ନିୟମକୁ ଜଳାଞ୍ଜଳି ଦେଇ ଚାଲିଛି ଦେଉଳି ମଠ-ପଞ୍ଚୁ ମଠ ରାସ୍ତା କାମ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅଞ୍ଚଳର ବିକାଶ ନାଁରେ ସରକାରୀ ଅର୍ଥର ବ୍ୟାପକ ହରିଲୁଟ ଚାଲିଥିବା ଅଭିଯୋଗ ହୋଇଛି। ଦେଉଳି ମଠରୁ ପଞ୍ଚୁ ମଠ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ସର୍ଭିସ୍ ରୋଡ଼ କାର୍ଯ୍ୟରେ ସମସ୍ତ ବୈଷୟିକ ନିୟମାବଳୀ କୁ ଉଲ୍ଲଂଘନ କରାଯାଇ ନିମ୍ନମାନର କାର୍ଯ୍ୟ କରାଯାଉଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ନିୟମ ଅନୁଯାୟୀ, ରାସ୍ତାର ଗ୍ରେଡ଼ ୧-ବେସ ଲୟେର ଏବଂ ସବ -ବେସ ସ୍ତରଗୁଡ଼ିକୁ ରୋଲର ସାହାଯ୍ୟରେ ଶକ୍ତ କରିବା କଥା । ମାତ୍ର ଏଠାରେ ବିନା ରୋଲିଂରେ ଗୋଟିଏ ସ୍ତର ଉପରେ ଅନ୍ୟ ଏକ ସ୍ତର ପକାଇ ଠିକାଦାର କାମ ସାରିଦେଉଛନ୍ତି । ରୋଲିଂ ହେଉନଥିବାରୁ ପଥରଗୁଡ଼ିକ ଢିଲା ଅବସ୍ଥାରେ ରହୁଛି, ଯାହା ଫଳରେ ରାସ୍ତାଟି ବହୁତ ଶୀଘ୍ର ଦବିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ଅନୁମୋଦିତ ନକ୍ସା ଅନୁଯାୟୀ, ରାସ୍ତାର ଦୁଇ ପାର୍ଶ୍ୱରେ ମୋଟ ୧.୨୫ ମିଟର ଓସାରର ବର୍ମ ବା ଶୋଲଡର ରହିବା ଅନିବାର୍ଯ୍ୟ । କିନ୍ତୁ କାର୍ଯ୍ୟସ୍ଥଳରେ ଏହି ବର୍ମ ନିର୍ମାଣ କରାଯାଉ ନାହିଁ। ବର୍ମ ପାଇଁ ଉଦ୍ଦିଷ୍ଟ ମୋରମ ବଦଳରେ କେବଳ ସାଧାରଣ ମାଟି ବ୍ୟବହାର କରି ରାସ୍ତାର ପାର୍ଶ୍ୱ ସୁରକ୍ଷାକୁ ବଳି ଦିଆଯାଇଛି। ବିଶେଷଜ୍ଞଙ୍କ ମତରେ, ରୋଲିଂ ନ କରି ଢିଲା ପଥର ଉପରେ ମାପ ନେଲେ ରାସ୍ତାର ମୋଟେଇ ଅଧିକ ଦେଖାଯାଏ । ଏହାଦ୍ୱାରା ଠିକାଦାର କମ୍ ସାମଗ୍ରୀ ବ୍ୟବହାର କରି ଅଧିକ ଟଙ୍କାର ବିଲ୍ ହଡ଼ପ କରିବାର ସୁଯୋଗ ପାଇଥାନ୍ତି । ଏଥିସହିତ ୱାବମ ଗ୍ରେଡ଼ ଏକ ସ୍ତରରେ ବ୍ୟବହାର କରାଯାଉଥିବା ପଥର ମଧ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ସଠିକ୍ ଢାଲୁ ନଥିବାରୁ ବର୍ଷା ଦିନେ ଏହି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଏହାର “ଫିଏଲଡ଼ ଡେନ୍ସିଟି ଟେଷ୍ଟ ” ଏବଂ “ତ୍ରିଆଲ ପୀଟ୍ସ ” ମାଧ୍ୟମରେ ଯାଞ୍ଚ କରିବାକୁ ଦାବି ହୋଇଛି । ଯଦି ଏହି ନିମ୍ନମାନର କାର୍ଯ୍ୟ ବନ୍ଦ ନହୁଏ, ତେବେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।


