ରେଭେନ୍ସାରେ ତୁଟୁନି ଅଧ୍ୟାପକ-ବିଧାୟକ ବିବାଦ, ହଷ୍ଟେଲ୍ ଦାୟିତ୍ୱ ନେଉନାହାନ୍ତି ୱାର୍ଡେନ୍
କଟକ, (ଓ୍ବାଇଏନଏସ): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଥମୁନି ଅଧ୍ୟାପକ-ବିଧାୟକ ବିବାଦ । ବିବାଦ ପରେ ଏବେ ଏହାର ପ୍ରଭାବ ସିଧାସଳଖ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ ପରିଚାଳନା ଉପରେ ପଡ଼ିଛି । ରେଭେନ୍ସାର ସମସ୍ତ ହଷ୍ଟେଲର ୱାର୍ଡେନ୍, ଡେପୁଟି ୱାର୍ଡେନ୍ ଓ ଚିଫ୍ ୱାର୍ଡେନ୍ ଏବେ ଦାୟିତ୍ୱରେ ଯୋଗ ଦେଉନାହାନ୍ତି । ଅଧ୍ୟାପକ ସଂଘ ସ୍ପଷ୍ଟ କରିଛି, ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ହଷ୍ଟେଲ୍ ଦାୟିତ୍ୱ ନେବେ ନାହିଁ ।ଅଧ୍ୟାପକ-ବିଧାୟକ ବିବାଦ ପରେ ରେଭେନ୍ସାର ହଷ୍ଟେଲ୍ ପରିଚାଳନା ନେଇ ସଙ୍କଟ ବଢ଼ିଛି । ୱାର୍ଡେନ୍, ଡେପୁଟି ୱାର୍ଡେନ୍ ଓ ଚିଫ୍ ୱାର୍ଡେନ୍ମାନେ ଦାୟିତ୍ୱରୁ ଦୂରେଇ ରହିବାରୁ ହଷ୍ଟେଲ୍ ପରିଚାଳନା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ବର୍ତ୍ତମାନ ରେଭେନ୍ସାର ୧୩ଟି ହଷ୍ଟେଲରେ ପ୍ରାୟ ୪ ହଜାର ଛାତ୍ରଛାତ୍ରୀ ରହୁଛନ୍ତି । ସେମାନଙ୍କ ଦୈନନ୍ଦିନ ସମସ୍ୟାଠାରୁ ଆରମ୍ଭ କରି ହଷ୍ଟେଲ୍ ଶୃଙ୍ଖଳା ଓ ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ ଦାୟିତ୍ୱ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କ ଉପରେ ରହିଥାଏ । ପୂର୍ବତନ ଚିଫ୍ ୱାର୍ଡେନ୍ଙ୍କ ମତରେ, ଏଭଳି ପରିସ୍ଥିତି ଦୀର୍ଘଦିନ ଜାରି ରହିଲେ ହଷ୍ଟେଲ୍ ବ୍ୟବସ୍ଥା ଚଳାଇବା କଷ୍ଟକର ହୋଇପଡ଼ିବ । ଅଧ୍ୟାପକ ସଂଘ କହିଛି, ବର୍ତ୍ତମାନ ପାଇଁ ହଷ୍ଟେଲ୍ କାର୍ଯ୍ୟରେ ଯୋଗ ଦେବା ପ୍ରଶ୍ନ ଉଠୁନାହିଁ । ଅଧ୍ୟାପକଙ୍କ ପ୍ରତି ଜନପ୍ରତିନିଧିମାନଙ୍କ ବ୍ୟବହାର କିଭଳି ହେବ, ସେନେଇ ସରକାର ଏକ ମାର୍ଗଦର୍ଶିକା ଆଣିବାକୁ ସଂଘ ଦାବି କରିଛି । ଏହାସହ ଚିଫ୍ ୱାର୍ଡେନ୍ଙ୍କ ବିରୋଧରେ ବିଧାୟକ ବାଚସ୍ପତିଙ୍କୁ ଦେଇଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରାଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ଏହି ବିବାଦରେ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବେ ବୋଲି ଅଧ୍ୟାପକ ସଂଘ ଆଶା ରଖିଛି । ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଏବେ ରେଭେନ୍ସାରେ ନାମଲେଖା ପ୍ରକ୍ରିୟା ଚାଲିଛି । ନୂଆ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଆଲଟମେଣ୍ଟ, ରୁମ୍ ବଣ୍ଟନ, ହଷ୍ଟେଲ୍ ସମସ୍ୟାର ସମାଧାନ ଏବଂ ଶୃଙ୍ଖଳା ରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାମ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କ ଦାୟିତ୍ୱ । କିନ୍ତୁ ସେମାନେ ଦାୟିତ୍ୱରେ ଯୋଗ ଦେଉନଥିବାରୁ ଆଗାମୀ ଦିନରେ ନୂଆ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଆଲଟମେଣ୍ଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରିଚାଳନାଗତ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗୋଟିଏ ପଟେ ଅଧ୍ୟାପକ ସଂଘ ନିଜ ଦାବିରେ ଅଡ଼ି ରହିଛି, ଅନ୍ୟପଟେ ହଷ୍ଟେଲ୍ ପରିଚାଳନାକୁ ନେଇ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ୁଛି । ଏଭଳି ସ୍ଥିତିରେ ବିବାଦର ଶୀଘ୍ର ସମାଧାନ ନହେଲେ ରେଭେନ୍ସାର ଶିକ୍ଷା ବାତାବରଣ ସହ ହଷ୍ଟେଲ୍ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ ।


