ବାଲିଯାତ୍ରା ପଡ଼ିଆରେ ନାବାଳକଙ୍କୁ ହତ୍ୟା
କଟକ (ଓ୍ବାଇଏନଏସ): କଟକର ବାଲିଯାତ୍ରା ତଳ ପଡ଼ିଆ ନଦୀପଠାରେ ଜଣେ ନାବାଳକଙ୍କୁ ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ନାବାଳକଙ୍କ ଘର କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ ହୋଇଥିବା ବେଳେ ସେ କଟକ ସହରର ରାଜା ବଗିଚା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବା ବେଳେ ଘଟଣାସ୍ଥଳଠାରୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ରକ୍ତଛିଟା ପଡ଼ିଥିବା ଜଣାପଡ଼ିଛି। ପୁଲିସର ପ୍ରାଥମିକ ଅନୁମାନ ଅନୁଯାୟୀ, ନାବାଳକଙ୍କୁ ନଦୀପଠାକୁ ଡାକି ନେଇ ଏକାଧିକ ବ୍ୟକ୍ତି ମିଳିତ ଭାବେ ହତ୍ୟା କରିଥାଇପାରନ୍ତି। ଘଟଣା ସମ୍ପର୍କରେ ମୃତକଙ୍କ ପରିବାରକୁ ପୁଲିସ ଅବଗତ କରାଇଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିବା ବେଳେ କଟକ ସ୍ପେଶାଲ ସ୍କ୍ୱାଡ୍ର ଏସିପି ଓ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି।
ନାବାଳକଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ହତ୍ୟା ପଛରେ ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ମିଳିଥିବା ରକ୍ତଛିଟା ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଉଦ୍ୟମ ଜାରି ରହିଛି। ପାର୍ବଣ ଋତୁରେ କଟକରେ ଏଭଳି ହତ୍ୟାକାଣ୍ଡ ସହରର ଆଇନଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ବଢ଼ାଇଛି। ନିକଟରେ କାଠଯୋଡ଼ି ନଦୀକୂଳରେ ଜଣେ ଯୁବତୀଙ୍କ ହତ୍ୟା ଘଟଣା ପରେ ଏହି ଘଟଣା ସହରବାସୀଙ୍କ ଚିନ୍ତା ବଢ଼ାଇଛି। ହତ୍ୟାର କାରଣ ଜାଣିବା ଏବଂ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।


