ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ରେ ପହଞ୍ଚିଥିଲେ। କମିଟିର ଅଧ୍ୟକ୍ଷ ତଥା ଟିଟିଲାଗଡ ବିଧାୟକ ଲକ୍ଷ୍ମଣ ବାଗ୍,କମିଟି ସଦସ୍ୟ ମୋହନା ବିଧାୟକ ଦାସରଥି ଗମାଙ୍ଗ,ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ପ୍ରମୁଖ ସେଠାରେ ଥିବା ଉଷ୍ମ ପସ୍ରବଣ ଗରମପାଣି କୁଣ୍ଡ ରେ ବିରାଜିତ ମା’କନ୍ଧୁଣି ଦେବୀ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଗୃହକମିଟି ଗସ୍ତ ସମୟରେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର,ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ଏବଂ ପାଟପୁର ଥାନା ପୋଲିସ ଟିମ୍ ଉପସ୍ଥିତ ଥିଲେ। ଦର୍ଶନ ଓ ପୂଜାର୍ଚ୍ଚନା ପରେ ଗୃହକମିଟି ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଗଜପତି ଜିଲା ପାରଳାଖେମୁଣ୍ଡି ଗସ୍ତ କରିଥିଲେ। ତପ୍ତପାଣି ରେ ସେଠାକାର ଜନଜାତି ସମ୍ପ୍ରଦାୟଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରତୀକ ଭାବେ ପୂଜା ପାଉଥିବା ମା ‘ କନ୍ଧୁଣି ଦେବୀ ଙ୍କ ଆସ୍ଥାନ ତଥା ପ୍ରକୃତିଦତ୍ତ ଆରୋଗ୍ୟ କ୍ଷେତ୍ର ର ବିକାଶ ପାଇଁ ୧୨ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି। ଗତ ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତପ୍ତପାଣି ଗସ୍ତ କରି ମା ‘ କନ୍ଧୁଣୀ ଦେବୀ ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗତ ୨୦୨୫ ନଭେମ୍ବର ୧୮ ତାରିଖରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତପ୍ତପାଣି ଗସ୍ତ କରି ୧୨ କୋଟି ଟଙ୍କା ଅନୁଦାନ ରେ ନିର୍ମାଣ ହେବାକୁ ଥିବା ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ଵିକ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଥିଲେ।


