ଚିନିଶିଳ୍ପ ହାଇସ୍କୁଲ ବାବନପୁରରେ ଅଗ୍ନିଶମ ବିଭାଗର ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) :ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆସିକା ବ୍ଳକ ଅନ୍ତର୍ଗତ ସରକାରୀ ଚିନିଶିଳ୍ପ ହାଇସ୍କୁଲ ବାବନପୁର ପରିସରରେ ଶୁକ୍ରବାର ଆସିକା ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍‌ଡ୍ରିଲ୍‌) ଓ ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚିନିଶିଳ୍ପ ହାଇସ୍କୁଲ ବାବନପୁରର ପ୍ରଧାନଶିକ୍ଷକ ଗୌରୀ ଶଙ୍କର ଗୌଡଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମକ୍‍ଡ୍ରିଲ୍‍ ତଥା ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଗ୍ନିଶମ ସେବାକେନ୍ଦ୍ରର କେନ୍ଦ୍ର ଅଧିକାରୀ ସନତ ପ୍ରଧାନ, ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ଅଗ୍ନିଯୋଦ୍ଧା ଗାଡିଚାଳକ ସାନୁଜ ପ୍ରଧାନ, ଅଗ୍ନିଯୋଦ୍ଧା ପ୍ରକାଶ କହଁର ଏବଂ ଶୁଭ୍ରଜିତ୍‍ ସାହୁ ପ୍ରମୁଖ ଯୋଗଦେଇ ଏହି ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍‍ଡ୍ରିଲ୍‍) କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏଥିରେ ଟାୱାର ଲାଇଟ୍‌, ଯନ୍ତ୍ରଚାଳିତ କରତ, ଜେନେରେଟର୍‌, ଷ୍ଟେଚର୍‌, ମେଗାଫୋନ, ଗ୍ୟାସ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧରେ ଅଭ୍ୟାସ କରାଯାଇଥିଲା ବେଳେ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେଇ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ । ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଅନୁଷ୍ଠିତ ହୋଇଥିବା ଏହି ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମରେ ଚିନିଶିଳ୍ପ ହାଇସ୍କୁଲ ବାବନପୁରର ପ୍ରଧାନଶିକ୍ଷକ ଗୌରୀଶଙ୍କର ଗୌଡ, ସହକାରୀ ଶିକ୍ଷକ ସଲମନ୍‍ ମାଝୀ, ଆକାଶ ପାଣିଗ୍ରାହୀ, ସନ୍ତୋଷୀ ସ୍ୱାଇଁ, ରଂଜନ କୁମାର ପାତ୍ର, କ୍ରୀଡାଶିକ୍ଷକ ଚନ୍ଦ୍ରଶେଖର ଦାଶ, କର୍ମଚାରୀ ବନିତା ନାୟକଙ୍କ ସମେତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଥିବା ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ