ସମସ୍ୟାରେ ଜର୍ଜରିତ ଆସିକା ଓଏସ୍ଆର୍ଟିସି ବସ୍ଷ୍ଟାଣ୍ଡ !
ଆସିକା (ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ରୂପେ ପରିଚିତ ଥିବା ଆସିକା ଅଞ୍ଚଳର ସାଧାରଣଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଆର୍ଥୀକ ଅନୁଦାନରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବିସ୍ତୀର୍ଣ୍ଣ ପଡିଆରେ ନିର୍ମିତ ହୋଇଥିବା ଆସ୍କା ବସ୍ଷ୍ଟାଣ୍ଡକୁ ଗତ ୨୦୨୪ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ତତ୍କାଳୀନ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପିତ କରିଥିଲେ । ଆସିକା ଓଏସ୍ଆର୍ଟିସି ବସ୍ଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ହଜାର ହଜାର ଜନତାଙ୍କ ଆଶା ଥିଲା ଏହି ବସ୍ଷ୍ଟାଣ୍ଡରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବେ କିନ୍ତୁ ଆସ୍କା ବସ୍ଷ୍ଟାଣ୍ଡ ଉଦ୍ଘାଟନର ଦୀର୍ଘ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଯାତ୍ରୀ ମାନେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବସ୍ଷ୍ଟାଣ୍ଡର ଯାତ୍ରୀ ପ୍ରତିକ୍ଷାଳୟରେ ସିଲିଂ ଫ୍ୟାନ୍ ଲାଗିନଥିବା ଯୋଗୁଁ ସାଂପ୍ରତିକ ପରିସ୍ଥିତିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଗ୍ର୍ରାମାଞ୍ଚଳ ଓ ଦୂରଦୂରାନ୍ତର ଯାତ୍ରୀମାନେ ଅତି ଦୟନୀୟ ଅବସ୍ଥାରେ ବାରଣ୍ଡାରେ ବସ୍କୁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରବାହରେ ଯାତ୍ରୀମାନେ ଆଉଟୁ ପାଉଟୁ ହେବା ସହ ଝାଞ୍ଜିପବନ ମାଡରେ ଅଣନିଃଶ୍ୱାସୀ ହୋଇପଡୁଥିବା ଅଭିଯୋଗ ବି ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ପ୍ରଚଣ୍ଡ ରୂପ ନେଲାଣି । ଦିନର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆସିକା ଓଏସ୍ଆର୍ଟିସି ବସଷ୍ଟାଣ୍ଡର ଯାତ୍ରୀ ପ୍ରତିକ୍ଷାଳୟରେ ଆବଶ୍ୟକତା ଅନୁଯାୟୀ ସିଲିଂ ଫ୍ୟାନ୍ ଲଗାଇବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ରାତି ପାହିଲେ ଆସିକା ଓଏସ୍ଆର୍ଟିସି ବସ୍ଷ୍ଟାଣ୍ଡକୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଦୈନିକ ଶହ ଶହ ଜନତା ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି । ଆସିକା ଓଏସଆର୍ଟିସି ବସ୍ଷ୍ଟାଣ୍ଡରୁ ଦୈନିକ କଟକ, ଭୁବନେଶ୍ୱର, ଜୟପୁର, ସୁନାବେଡା, ଝାରସୁଗୁଡା, ରାଉରକେଲା, ପୁରୀ, ମାଲକାନଗିରି, ବାଲିମେଳା, ଭବାନୀପାଟଣାକୁ ଯାତ୍ରୀବାହୀ ରାଜ୍ୟ ସଡକ ପରିବହନ ନିଗମର ବସ୍ ସମେତ ଆସିକା ବ୍ଳକ ପରିସରଭୁକ୍ତ ବହୁ ଗ୍ରାମାଞ୍ଚଳକୁ ଯାତ୍ରୀବାହୀ ଲକ୍ଷ୍ମୀ ବସ୍ ଚଳାଚଳ କରୁଥିବା ଦେଖିବାକୁ ମିଳୁଛି । ଆସିକା ଓଏସ୍ଆର୍ଟିିସି ବସଷ୍ଟାଣ୍ଡ ଉଦ୍ଘାଟନ ହେବାର ଦୀର୍ଘ ୨ବର୍ଷ ବିତି ଯାଇଥିଲେ ଯାତ୍ରୀଙ୍କ ସୁବିଧା ଲାଗି ଶୌଚାଳୟକୁ କାର୍ଯ୍ୟକ୍ଷମ କରିବା, ଯାତ୍ରୀ ପ୍ରତୀକ୍ଷାଳୟରେ ଫ୍ୟାନ୍ ଲଗାଇବା, ପ୍ରବେଶ ପଥରେ ସୂଚନା ଫଳକ ଲଗାଇବା, ଯାତ୍ରୀମାନେ ବସିବା ଲାଗି ଆବଶ୍ୟକୀୟ ଚେୟାର ଟେବୁଲ୍ ପକାଇବା, ବନ୍ଦ ହୋଇରହିଥିବା ବ୍ୟବସାୟିକ ରୁମ୍ ଗୁଡିକୁ ଭଡା ସୂତ୍ରରେ ଦେବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ଓଏସ୍ଆର୍ଟିସି ବସଷ୍ଟାଣ୍ଡରେ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ଯୋଗୁଁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଆସିକା ଓଏସ୍ଆର୍ଟିିସି ବସ୍ଷ୍ଟାଣ୍ଡର ଭିତ୍ତିଭୂମୀକୁ ସୁଦୃଢ କରିବା ସହ ଯାତ୍ରୀଙ୍କ ସୁବିଧା ଲାଗି ସେଭଳି କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆସିକା ଓଏସ୍ଆର୍ଟିସି ବସଷ୍ଟାଣ୍ଡରୁ ରାଜ୍ୟର ବିଭିନ୍ନ ଅଞ୍ଚଳର ସମେତ ଲକ୍ଷ୍ମୀବସ୍ରେ ଗ୍ରାମାଞ୍ଚଳକୁ ଯିବା ଲାଗି ଦୈନିକ ଶହ ଶହ ଯାତ୍ରୀ ପ୍ରତୀକ୍ଷାଳୟରେ ଅପେକ୍ଷା କରିରହୁଥିଲେ ମଧ୍ୟ ସିଲିଂ ଫ୍ୟାନ୍ ଲାଗିନଥିବା ଯୋଗୁଁ ମୁଣ୍ଡଫଟା ଓ ଡହ ଡହ ଖରାରେ ପିଲାଛୁଆଙ୍କୁ ଧରି ଖୋଲା ଆକାଶ ତଳେ ଗ୍ରୀଷ୍ମର ପ୍ରକୋପରେ କଲବଲ ହେଉଥିବା ଅଭିଯୋଗ ହେଉଛି । ଆସିକା ଓଏସ୍ଆର୍ଟିସି ବସଷ୍ଟାଣ୍ଡରେ ଯାତ୍ରୀଙ୍କ ଯନ୍ତ୍ରଣାର ଅନ୍ତ କେବେ ଘଟିବ ତାହା ସାଧାର୍ୟଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଦେଖିବାକୁ ମିଳୁଛି । ଏ ସଂକ୍ରାନ୍ତରେ ଓଏସ୍ଆର୍ଟିସିର ବ୍ରହ୍ମପୁର ଜିଲ୍ଲା ପରିଚାଳକ ଅରବିନ୍ଦ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଏହି ପୁରାତନ ଓଏସ୍ଆର୍ଟିସି ବସଷ୍ଟାଣ୍ଡରେ ଲାଗିରହିଥିବା ସମସ୍ୟା ଗୁଡିକର ଅତିଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଓଏସ୍ଆର୍ଟିସି ବସ୍ଷ୍ଟାଣ୍ଡରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ସହ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଯାତ୍ରୀ ପ୍ରତୀକ୍ଷାଳୟରେ ଆବଶ୍ୟକତା ଅନୁଯାୟୀ ସିଲିଂ ଫ୍ୟାନ୍ ଲଗାଇବା ସାଙ୍ଗକୁ ଶୌଚାଳୟକୁ କାର୍ଯ୍ୟକ୍ଷମ ଓ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


