ଵନ ବିଭାଗ ପକ୍ଷରୁ ବେଆଇନ କରତକଳ ଉପରେ ଚଢ଼ାଉ
ଧାମନଗର (ଓ୍ବାଇଏନଏସ): ଧାମନଗରର ଏନ ଏ ସି ଅଞ୍ଚଳରେ ବେଆଇନ କରତକଳ ଉପରେ ସକାଳୁ ସକାଳୁ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭଦ୍ରକ ଡିଏଫଓ ଅରୁଣ କୁମାର ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ବନ ସଂରକ୍ଷକ ସୁମିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଧାମନଗର ବନାଞ୍ଚଳ ଅଧିକାରୀ ବବୁଲ ମଲିକ,ଧାମନଗର ପୋଲିସ ସହାୟତାରେ ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧିନ ଧାମନଗର ସ୍ଥିତ ମୁଲଣାସାହି ଠାରେ ବେଆଇନ ଭାବେ ଚାଲିଥିବା କରତକଳ ଉପରେ ବୁଧବାର ସକାଳୁ ସକାଳୁ ଚଢ଼ାଉ କରାଯାଇଥିଲା I ଚଢାଉ ସମୟରେ ବେଆଇନ କରତକଳରୁ ପୁଣ୍ଟିଆ,ଜାମୁ,ଶିରିସ, ବବୁରି,ଚାକୁଣ୍ଡା ଆଦି ବିଭିନ୍ନ କାଠ ସମେତ ଯନ୍ତ୍ରାଂଶ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ଯ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି I ଗ୍ୟାସ କଟର ବ୍ୟବହାର କରି କରତକଳର ଯନ୍ତ୍ରପାତି ଗୁଡିକ କଟାଯାଇଥିବା ଦେଖିବାକୁ ମିଳିଛି I ଏହି ଚଢ଼ାଉରେ ଧାମନଗର ଫରେଷ୍ଟର ବସନ୍ତ କୁମାର ମାଝୀ,ମଧୁସ୍ମିତା ମହାନ୍ତି,ସୂର୍ଯ୍ୟକାନ୍ତ ପଣ୍ଡା, କୃଷ୍ଣ ଚନ୍ଦ୍ର ବାସ୍କେ ଓ ଫରେଷ୍ଟ ଗାର୍ଡ ପୀତବାସ ଶଙ୍ଖୁଆ,ସୁହାସିନୀ ସ୍ୱାଇଁ,ଲିପିକା ଦାସ ପ୍ରମୁଖ ସାମିଲ ଥିଲେ। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନାଞ୍ଚଳ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ତେବେ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଚାଲୁଥିବା କରତ କଳ ଗୁଡିକୁ ପର୍ଯ୍ୟାୟକ୍ରମେ ଚଢ଼ାଉ କରାଯିବ ବୋଲି ରେଞ୍ଜର ବବୁଲ ମଲିକ ସୂଚନା ଦେଇଛନ୍ତି। ତେବେ ସରକାର ଏବଂ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ଭାବେ ଚଢ଼ାଉକୁ ସାଧାରଣରେ ନାପସନ୍ଦ କରାଯାଇଛି। କାରଣ ଝିଅ ବିବାହର କାଠ ସାମଗ୍ରୀ ତିଆରି କରିବା ପାଇଁ ଦୂରରୁ କାଠ ସଂଗ୍ରହ କରି ବହୁ ଖର୍ଚ୍ଚ ଓ ସମସ୍ୟା ସୃଷ୍ଟି ହେଉଛି। ଏଥିପ୍ରତି ସରକାର ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ବିଚାର କରନ୍ତୁ ନହେଲେ ଜନସାଧାରଣ ଆନ୍ଦୋଳନ ପନ୍ଥା ଗ୍ରହଣ ପାଇଁ ସୂଚନା ଦେଇଛନ୍ତି।


