ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ପରଲୋକ
ବନ୍ତ(ଚାନ୍ଦିନୀ ମହାନ୍ତି) : ସିପିଆଇର ରାଜ୍ୟ ନେତା ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କର ଶନିବାର ରାତି ୧୧ଟା ୩୦ରେ ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ କିଡନୀ ଜନିତ ରୋଗରେ ପିଡିତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଡାକ୍ତର ମାନଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ସ୍ଥ୍ୟସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଦେଖା ଦେଇନଥିଲା । ପରେ ସିପିଆଇର ରାଜ୍ୟ ଦପ୍ତର ଭଗବତି ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରାଜ୍ୟ ପାର୍ଟି ଅଫିସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ମାନେ ଉପସ୍ଥିତ ହୋଇ ଶେଷ ଦର୍ଶନ କରିଥିଲେ । ପରେ ନିଜସ୍ୱ ଗ୍ରାମ ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ବାସ ଭବନକୁ ମରଶରୀର ଆସୁଥିବା ବେଳେ କଟକ, ଚଣ୍ଡିଖୋଲ, ପାଣିକୋଇଲି, ବାରିକପୁର ଠାରେ ବହୁ ଶୁଭେଚ୍ଛୁ ଓ ସିପିଆଇର ସାଥୀ ମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କେନ୍ଦୁଆପଦା ଠାରୁ ସିପିଆଇର ସାଥୀ ଓ ନେତା ମାନେ ତାଙ୍କ ମର ଶରୀରକୁ ଏକ ବିଶାଳ ଶୋଭା ଯାତ୍ରାରେ ସେଣ୍ଢତୀରା ପର୍ଯ୍ୟନ୍ତ ଆଣିଥିଲେ । ତାଙ୍କ ମରଶରୀର ଭୁବନେଶ୍ୱରରୁ ସେଣ୍ଢତୀରାକୁ ଆସିବା ବେଳେ ସାଥୀରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କ୍ଷୀରୋଦ କୁମାର ସିଂହଦେଓ, ପୂର୍ବତନ ବିଧାୟକ ନାରାୟଣ ରେଡି, ଜୟନ୍ତ ଦାସ, ମହେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବାରିକପୁର-କେନ୍ଦୁଆପଦା ଠାରୁ ସେଣ୍ଢତୀରା ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସିପିଆଇର ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଅନନ୍ତ ପ୍ରସାଦ ମହାନ୍ତି, ବିମ୍ବାଧର ବାରିକ, ନାରାୟଣ ଚନ୍ଦ୍ର ତ୍ରିପାଠୀ, ହରିହର ବେହେରା, ସିପିଆଇ(ଏମ୍ଏଲ)ର ଜିଲା ସମ୍ପାଦକ ସମର ନନ୍ଦ, ଜୋନ ସମ୍ପାଦକ ରମେଶ ଜେନା ପ୍ରମୁଖ ସାମିଲ ହୋଇ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ବହୁ ରାଜନୈତିକ ଦଳର ନେତା ମାନେ ସେଣ୍ଢତୀରୀସ୍ଥିତ ବାସଭବନରେ ପହଞ୍ôଚ ସ୍ୱର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସ୍ୱର୍ଗତ ନାୟକ ଭଦ୍ରକ କଲେଜରେ ପାଠ ପଢୁଥିବା ସମୟରେ ବାମପନ୍ଥୀ ଛାତ୍ର ସଂଘ, ଅଖିଳ ଭାରତ ଛାତ୍ର ସଂଘରେ ଯୋଗ ଦେଇଥିଲେ । ୧୯୭୨ ମସିହାରେ ସେ ଭଦ୍ରକ କଲେଜ ଛାତ୍ର ୟୁନିୟନର ସମ୍ପାଦକ ହେବା ସହିତ ଲଗାତର ୨ ବର୍ଷ ଛାତ୍ର ସଂଘର ସମ୍ପାଦକ ନିର୍ବାଚିତ ହୋଇଥିଲେ । ୧୯୮୨ ମସିହାରେ ଉଚ୍ଚ ଶିକ୍ଷା ପାଇଁ ୨ ବର୍ଷ ପୂର୍ବ ଜର୍ମାନ ଯାଇଥିଲେ । ସେଠାରୁ ଆସି କଟକର ନବ ଯୁଗ ପ୍ରେସର ‘ନୂଆ ଦୁନିଆ’ ଖବର କାଗଜର ସମ୍ପାଦକ ରହିଥିଲେ । ଶେଷରେ ସିପିଆଇର ରାଜ୍ୟ ସମ୍ପାଦକ ଭାବେ ଦାୟୀତ୍ୱ ତୁଲାଇଥିଲେ । ସେ ଜଣେ ନିର୍ଭିକ, ସୁବକ୍ତା ଓ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । ବନ୍ତ ସିପିଆଇ ନେତା ଗୋପବନ୍ଧୁ ସେଠୀ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଦୁଲ୍ଲା ଖାଁ, ଭାସ୍କର ଚନ୍ଦ୍ର ବେହେରା, ରବିନ୍ଦ୍ର ନାୟକ, ପ୍ରଫୁଲ୍ଲ ନାୟକ, ଧନେଶ୍ୱର ଜେନା, ବାବାଜି ଚରଣ ଜେନା, ଜୟନ୍ତ ଜେନା, ପର୍ଶୁରାମ ସ୍ୱାଇଁ, ବିଷ୍ଣୁ ଚରଣ ଜେନା, ଉମାକାନ୍ତ ମହପାତ୍ର, ଫକୀର ଚରଣ ବିଶ୍ୱାଳ, ଦୀଲିପ ନାୟକ, ଅରବିନ୍ଦ ବିଶ୍ୱାଳ, କିଶୋର ବିଶ୍ୱାଳ ପ୍ରମୁଖ ଶୋଭା ଯାତ୍ରାରେ ସାମିଲ ଥିଲେ ।