ମାଗଣା ସାଇକେଲ ଯୋଜନା :ସରକାର ଦେଉଛନ୍ତି ୩୫ଶହ, ବଜାରରେ ଦର ୫ହଜାର

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ବିଦ୍ୟାଳୟରୁ ଅଧାରେ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ କରିବା ନିମନ୍ତେ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ “ମାଗଣା ସାଇକେଲ ବଣ୍ଟନ ଯୋଜନା” ଆରମ୍ଭ କରିଥିଲେ। ଏହି ଯୋଜନାରେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବ୍ଲକଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ପରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଗଲା। କିନ୍ତୁ ବର୍ତମାନ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସହାୟତା ରାଶି ଓ ବଜାର ଦର ମଧ୍ୟରେ ବ୍ୟାପକ ଫରକ ଯୋଗୁଁ ଅଭିଭାବକମାନେ ହନ୍ତସନ୍ତ ହେଉଛନ୍ତି। ସରକାର ପ୍ରତି ଛାତ୍ରଛାତ୍ରୀଙ୍କୁ ସାଇକେଲ କିଣିବା ପାଇଁ ୩୫ଶହ ଟଙ୍କା ପ୍ରଦାନ କରୁଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାରରେ ଏକ ଭଲ ଗୁଣବତ୍ତାର ସାଇକେଲର ଦର ସର୍ବନିମ୍ନ ୪୫ଶହ ରୁ ୫ହଜାର ଟଙ୍କା। ଫଳରେ ଗରିବ ପରିବାରର ଅଭିଭାବକମାନଙ୍କୁ ନିଜ ପକେଟରୁ ଅତିରିକ୍ତ ଏକ ହଜାର ରୁ ୧୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହା ତାଙ୍କ ପାଇଁ ବଡ ବୋଝ ପାଲଟିଛି। ଯୋଜନା ଆରମ୍ଭ ସମୟରେ ପ୍ରତି ଛାତ୍ରଛାତ୍ରୀଙ୍କୁ ୨୬ଶହ ଟଙ୍କା ଲେଖାଏଁ ଦିଆଯାଉଥିଲା। ଏତେ କମ୍ ଟଙ୍କାରେ ସାଇକେଲ ମିଳୁନଥିବା ନେଇ ବାରମ୍ବାର ଅଭିଯୋଗ ପରେ ସରକାର ୨୦୨୩-୨୪ ରେ ୯ଶହ ଟଙ୍କା ବୃଦ୍ଧି କରି ରାଶିକୁ ୩୫ଶହ ଟଙ୍କା କରିଥିଲେ। କିନ୍ତୁ ସେହି ସମୟ ମଧ୍ୟରେ ବଜାରରେ ସାଇକେଲର ଦର ମଧ୍ୟ ଆକାଶଛୁଆଁ ହୋଇସାରିଛି। ଫଳରେ ରାଶି ବୃଦ୍ଧି ହୋଇଥିଲେ ମଧ୍ୟ ଅଭିଭାବକଙ୍କ ସମସ୍ୟା ସମାଧାନ ହୋଇପାରିନାହିଁ। ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ପ୍ରତିବର୍ଷ ପ୍ରାୟ ୮ଶହରୁ ୯ଶହ ଛାତ୍ରଛାତ୍ରୀ ଏହି ଯୋଜନାରେ ସହାୟତା ପାଉଛନ୍ତି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ପ୍ରାୟ ୮ ଶହ ଛାତ୍ରଛାତ୍ରୀଙ୍କୁ ସାଇକେଲ ମିଳିବାର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରୋତ୍ସାହନ ରାଶି ଅପେକ୍ଷା ବଜାର ଦର ଅଧିକ ରହୁଥିବାରୁ ଗରିବ ଶ୍ରେଣୀର ପରିବାର ପାଇଁ ନୂଆ ସାଇକେଲ କିଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ଅନେକ ଅଭିଭାବକ ଅଭିଯୋଗ କରୁଛନ୍ତି ଯେ ସରକାର ଯେଉଁ ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରିଥିଲେ ସେହି ଉଦ୍ଦେଶ୍ୟ ପୂରଣ ହେଉନାହିଁ। ପିଲାମାନେ ଯେତିକି ଉପକୃତ ହେଉଛନ୍ତି, ତାଠାରୁ ଅଧିକ ଚାପ ଅଭିଭାବକଙ୍କ ଉପରେ ପଡୁଛି।
ଏ ନେଇ ଶିକ୍ଷକ ମହଲରୁ ସୂଚନା ମିଳିଛି ଯେ ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ପାଇଁ ବିଭାଗକୁ ପ୍ରସ୍ତାବ ପଠାଯାଇସାରିଛି। କିନ୍ତୁ ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ନିର୍ଦେଶ ଆସିନାହିଁ। ଶିକ୍ଷାବିତମାନେ ଦାବୀ କରିଛନ୍ତି ଯେ ବର୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ସହାୟତା ରାଶିକୁ ଅତିକମରେ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଉ। ନଚେତ ମାଗଣା ସାଇକେଲ ଯୋଜନା ନାମକୁ ମାଗଣା ରହିଯିବ କିନ୍ତୁ ତାର ଲାଭ ଗରିବ ପିଲାମାନେ ପାଇପାରିବେ ନାହିଁ। ସରକାର ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏହି ଯୋଜନା ଆଣିଥିଲେ ମଧ୍ୟ ରାଶି ଓ ବଜାର ଦରର ବ୍ୟବଧାନ ଯୋଗୁଁ ତାହା ଅଧାରୁ ଅଟକି ଯାଉଛି। ତେଣୁ ତୁରନ୍ତ ରାଶି ବୃଦ୍ଧି କରି ପ୍ରକୃତ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଲାଭ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ