ଦୁଡୁଗାଁ ପାଇଁ କାଳ ସାଜୁଛି ଘାଗରା ନାଳ :ଏକର ଏକର ଚାଷ ଜମି ନଷ୍ଟ, ଚିନ୍ତାରେ ଶତାଧିକ ଚାଷୀ

 ହାଟଡିହି (ଓ୍ବାଇଏନଏସ):  ଆନନ୍ଦପୁର ଉପଖଣ୍ଡ ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମରେ ୩ ଶହରୁ ଉର୍ଦ୍ଧ ଚାଷୀ ପରିବାର ବସବାସ କରନ୍ତି। ସେମାନଙ୍କର ମୁଖ୍ୟ ବେଉସା ହେଉଛି ଚାଷ। ଚାଷ ରୁ ଯାହା ରୋଜଗାର ହୁଏ ସେଥିରେ ବର୍ଷକର ଗୁଜୁରାଣ ମେଣ୍ଟାଈ ଥାନ୍ତି। କିନ୍ତୁ ଗତ କିଛିବର୍ଷ ହେଲା ଗାଁ ପାଇଁ କାଳ ସାଜିଛି ଘାଗରା ନାଳ।  ବର୍ଷା ହେଲେ ଉପର ମୁଣ୍ଡର ପାହାଡ଼ ପାଣି ଏହି ଘାଗରା ନାଳ ଦେଇ ଯାଇ ବୈତରଣୀରେ ମିଶେ। କିନ୍ତୁ ଗତ କିଛିବର୍ଷ ହେଲା ଘାଗରା ନାଳରେ ଆଡିବନ୍ଧ ନିର୍ମାଣ ପରେ ଏହା ଚାଷୀଙ୍କ ପାଇଁ ଆଶୀର୍ବାଦ ହେବ ବୋଲି ଆଶା କରାଯାଉ ଥିଲା। କିନ୍ତୁ ଏହା ଏବେ ଦୁଡୁଗାଁ ପାଇଁ ବିପଦ ପାଲଟିଛି। ବୈତରଣୀରେ ନଦୀ ବଢ଼ି ଆସିଲେ ଘାଗରା ନାଳର ପାଣି ନିଷ୍କାସନ ହୋଇ ନପାରି ଦୁଡୁଗାଁ ନିକଟରେ ବନ୍ଧ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଚଳିତ ବନ୍ୟାରେ ଘାଗରା ନାଳରେ ୩୦ଫୁଟ ଓସାରର ଏକ ଘାଇ ହୋଇ ଏହି ଗାଁରେ ବ୍ୟାପକ ଚାଷଜମି ନଷ୍ଟ ହେବା ସହିତ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ହଜାର ହଜାର ଟଙ୍କା ଖର୍ଚ କରି ବାଇଗଣ, ଭେଣ୍ଡି, କଲରା, ଜହ୍ନି, କାକୁଡି, ପୁଟୋଳ ଆଦି ଚାଷ କରିଥିବା ଚାଷୀଙ୍କ ଚାଷ ନଷ୍ଟ ହୋଇଯାଇଛି। ଏକର ଏକର ଜମିର ଧାନ ତଳି ନଷ୍ଟ ହୋଇଯାଇ ଥିବାବେଳେ ଏବେ ଚାଷଜମିରେ ୫/୬ ଫୁଟ ଉଚ୍ଚାର ପାଣି ଜମି ରହିଛି। ଯାହାଦ୍ୱାରା ଆଉ ଚାଷ କରିବା ସମ୍ଭବ ପର ନୁହେଁ ବୋଲି ଚାଷୀମାନେ କହିଛନ୍ତି। ଗ୍ରାମର ନିରଞ୍ଜନ ଜେନା ବାଇଗଣ ଚାଷ କରିଥବା ବେଳେ ଏବେ ଫୁଲ ଧରୁଥିବା ବେଳେ ଦିନ କେଇଟା ପରେ ଅମଳ କରିଥାନ୍ତେ। କିନ୍ତୁ ପାଣିରେ ବୁଡି ରହିବା ଦ୍ୱାରା ବାଇଗଣ ଗଛ ଗୁଡିକ ପଚି ନଷ୍ଟ ହୋଇଯାଇଛି। ଚାରି ଏକର ଜମିରେ ଧାନ ରୋଇବା ପାଇଁ ତଳି ପକାଇ ଥିବା ବେଳେ ଦୁଇ ଦୁଇ ଥର ତଳି ସବୁ ପଚି ନଷ୍ଟ ହୋଇଗଲା। ସେହିପରି ଗାଁର ଚଗୁଲୁ ଦାସ, କାଠିଆ ବେହେରା, ଚଗଲା ଦାସ, ସମୟ ଜେନା, ଗୋପାଳ ଜେନା, ଜଳଧର ବେହେରା, ନିରଞ୍ଜନ ଦାସ, ସୁଦାମ ବେହେରା, ସଦାନନ୍ଦ ବେହେରା, ନର ଖଟୁଆ, ଆଲୋକ ଦାସ, ରଞ୍ଜନ ଦାସଙ୍କ ସମେତ ଶତାଧିକ ଚାଷୀଙ୍କ ଚାଷ ଜମି ପାଣିରେ ବୁଡି ରହିବା ଦ୍ୱାରା ଚାଷୀମାନେ କ୍ଷତିରେ ପଡିଛନ୍ତି। ବାଲିରେ ବନ୍ଧଟିକୁ ମରାମତି କରାଯାଉଥିବାରୁ ଓ ସଫା କରାଯାଉ ନଥିବାରୁ ଏପରି ଅସୁବିଧା ହେଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଖାଲି ଦୁଡୁଗାଁ ନୁହେଁ ପାଖରେ ଥିବା ଶାଳବଣି , ମୋଚିନ୍ଦା, ସର୍ଦାପୁର ମୌଜାର ଅନେକ ଚାଷ କୁଆରୀ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଏଣୁ ସରକାର ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ସହିତ ସୁଦୃଢ ଆଡିବନ୍ଧ ନିର୍ମାଣ କରି ଜଳ ନିଷ୍କାସନର ସୁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ