ସରକାରୀ ଡାକ୍ତରଖାନାରେ ତାଲା: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଜରୁରୀ ଚିକିତ୍ସା ନ ପାଇ ମୃତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଏକ ସଡ଼କ ଦୁର୍ଘଟଣାରେ ଅତ୍ୟନ୍ତ ଗୁରୁତର ହୋଇ ଜରୁରୀ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା. ହେଲେ ଡାକ୍ତରଖାନାରେ ତାଲା ପଡ଼ିଥିବା ଯୋଗୁଁ ଚିକିତ୍ସା ନ ପାଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ. ଏହି ଘଟଣା ନେଇ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଅଞ୍ଚଳବାସୀ ଉଚିତ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆନ୍ଦୋଳନପନ୍ଥା ହାତକୁ ନେଇଥିବା ଦେଖା ଦେଇଛି. ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମ ଠାରେ ଥିବା ପ୍ରାଥମିକ ଚିକିତ୍ସାଳୟରେ ଏଭଳି ଆନ୍ଦୋଳନ ଗତକାଲି ଦେଖିବାକୁ ମିଳିଥିଲା. ଅଞ୍ଚଳବାସୀ ସ୍ଥାୟୀ ଡାକ୍ତର ଓ  ଫାର୍ମାସିଷ୍ଟକୁ ତୁରନ୍ତ ନିଯୁକ୍ତି ଦାବୀରେ  ତିନିଘଣ୍ଟିଆ ଅନଶନ ଆନ୍ଦୋଳନ କରିଥିଲେ । ଅନଶନକାରୀମାନେ ଏହି ଚିକିତ୍ସା କେନ୍ଦ୍ରରେ ଗତ ଆଠ ମାସହେଲା ସମ୍ପୂର୍ଣ୍ଣ ଏଲୋପଥି ଚିକିତ୍ସା ବନ୍ଦ ହୋଇଯାଇଥିବା ଏବଂ ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଠାରେ ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସୂଚନା ପ୍ରକାରେ ଗାରାବନ୍ଧ ପ୍ରାଥମିକ ଚିକିତ୍ସାଳୟ ଉପରେ ଉଭୟ ଗୋଷାଣି ଓ ରାୟଗଡ ବ୍ଲକର 60 ଗୋଟି ଗ୍ରାମର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି । ହେଲେ ଗତ ଆଠ ମାସ ପୂର୍ବେ ଏଠାକାର କାର୍ଯ୍ୟରତ ଡାକ୍ତର ଓ ଫାର୍ମାସିଷ୍ଟ ସେବାନିବୃତ୍ତ ହୋଇଥିଲେ । ତେବେ ଗତ ଏକ ମାସ ପୂର୍ବେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ସୁଦ୍ଧା ଫାର୍ମାସିଷ୍ଟଙ୍କୁ ନିଯୁକ୍ତ ଦିଆଯାଇନାହିଁ । ବର୍ତ୍ତମାନର ଡାକ୍ତର ଜଣକଙ୍କ ବୟସ୍କ ଅଧିକା ଯୋଗୁଁ ଅଧିକା ସମୟ ଚିକିତ୍ସା ସେବା ଯୋଗାଇ ଦେଇପାରୁନଥିବା ବେଳେ ଏଠାକୁ ମାତ୍ରାଧିକ ସଂଖ୍ୟାରେ ରୋଗୀ ଆସୁଛନ୍ତି । ଏଥିସହ ଗତକାଲି ଏହି ଅଞ୍ଚଳର ଜଣେ ସଡକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ । ତାଙ୍କୁ ତୁରନ୍ତ ଏହି ଚିକିତ୍ସାଳୟକୁ ଅଣା ଯାଇଥିଲା । ହେଲେ ଏଠାରେ ତାଲା ପଡିଥିବା ଏବଂ ପ୍ରାଥମିକ ଚିକିତ୍ସା ସେବା ନପାଇବା ଯୋଗୁଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିବାକୁ ନେଇ ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି ।  ତେଣୁ ଏଠାରେ ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟ୍ ଆଗାମୀ ସପ୍ତାହ ମଧ୍ୟରେ ନିଯୁକ୍ତ ନକଲେ ତୀବ୍ର ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ଏବଂ ଆନ୍ଦୋଳନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଏଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଆଜିର ଏହି ଅନଶନ ବେଳେ ଗାରାବନ୍ଧ ସରପଞ୍ଚ ପି.ଅଶୋକ କୁମାର, ଯୁବ ସମାଜସେବୀ ତରୁଣ ପ୍ରଧାନ, ବଦ୍ରିନାରାୟଣ ପଣ୍ଡା, ସିନ୍ଦିରି ରଞ୍ଜିତ କୁମାର, ଟାଙ୍କଲା ଗିରିଶ, ସିଏଚ୍. ଭେଙ୍କଟ ରାଓ, ଯୁବ ବିଜେଡି ନେତା ତଥା ସୋବରା ପଞ୍ଚାୟତର ପୂର୍ବତନ ସରପଞ୍ଚ ପି.ନାଗେଶ୍ବର ରାଓ ପ୍ରମୁଖଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ