ଜାତୀୟ କ୍ରୀଡ଼ା ଦିବସର ତିନିଦିନିଆ ଭବ୍ୟ ସେଲିବ୍ରେସନ ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଭୀମପୁରା ସ୍ଥିତ ସ୍ପୋର୍ଟସ ହଷ୍ଟେଲ ଗ୍ରାଉଣ୍ଡରେ ଆଜିଠାରୁ ଜାତୀୟ କ୍ରୀଡ଼ା ଦିବସର ତିନିଦିନିଆ ଭବ୍ୟ ସେଲିବ୍ରେସନ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ “ଖେଳିବ ଭାରତ, ଜିତିବ ଭାରତ” ଥିମ୍ ସହିତ ଅଗଷ୍ଟ ୨୮, ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବାଲେଶ୍ୱର ଶ୍ରୀ ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ଉପସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର ବେହେରା ଏବଂ ବାଲେଶ୍ୱର DPO ଶ୍ରୀ ଚନ୍ଦ୍ରକାନ୍ତ ଘଡ଼େଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।କାର୍ଯ୍ୟକ୍ରମର ପ୍ରଥମ ଦିନରେ ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ଜେନା ସୁଚାରୁରୂପେ ପରିଚାଳନା କରିଥିଲେ ।ଏହି ତିନିଦିନିଆ ଉତ୍ସବର ଦ୍ୱିତୀୟ ଦିନ ଅର୍ଥାତ୍ ୨୯ ଅଗଷ୍ଟରେ “ଏକ ଘଣ୍ଟା ଖେଳ ପଡ଼ିଆରେ” କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେହିପରି ଅନ୍ତିମ ଦିନ ଅର୍ଥାତ୍ ୩୦ ଅଗଷ୍ଟରେ ସ୍ୱାସ୍ଥ୍ୟ ଏବଂ ପରିବେଶ ସଚେତନତାକୁ ନେଇ “ସଣ୍ଡେ ଅନ୍ ସାଇକେଲ” (Sunday on Cycle) କ୍ୟାମ୍ପେନ ଯାହାକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହୋତ୍ସବକୁ ନେଇ ସ୍ଥାନୀୟ କ୍ରୀଡ଼ାବିତ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।


