ରାଜ୍ୟରେ ବେଆଇନ ଖଣି ଖନନ ରୋକିବା ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (ଓ୍ବାଇଏନଏସ): ରାଜ୍ୟରେ ବେଆଇନ ଖଣି ଖନନ ରୋକିବା ଦିଗରେ ସରକାର କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଶ୍ରୀ ଏମ୍. ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମବାସୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ସମ୍ବନ୍ଧୀୟ ରିଟ୍ ପିଟିସନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ ଦର୍ଶାଯାଇଥିଲା ଯେ, ଗୋବର୍ଦ୍ଧନପୁର ନିକଟ ଦୟା ନଦୀରୁ କିଛି ଅସାମାଜିକ ଓ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଭାବେ ବାଲି ଉତ୍ତୋଳନ ଏବଂ ପରିବହନ କରୁଛନ୍ତି। ଏନେଇ ପ୍ରଭାବିତ ଗ୍ରାମବାସୀ ୨୦୨୫, ଡିସେମ୍ବର ୨୬ ତାରିଖରେ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଦୟା ନଦୀ ଉପରେ ନିର୍ମିତ ବିଜୁ ସେତୁ ନିକଟରେ ବେଆଇନ ବାଲି ଉତ୍ତୋଳନ ଜାରି ରହିଲେ ନଦୀବନ୍ଧ ଦୁର୍ବଳ ହେବା ସହ ସେତୁର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇପାରେ ବୋଲି ଆବେଦନରେ ଯୁକ୍ତି ଦର୍ଶାଯାଇଥିଲା ।୨୦୨୬,ଜୁନ୍ ୩୦ରେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସରକାରୀ ଓକିଲ ନ୍ୟାୟାଳୟଙ୍କୁ ଜଣାଇଥିଲେ ଯେ, ବେଆଇନ ଖଣି ଖନନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ପଦକ୍ଷେପ ଆରମ୍ଭ ହୋଇଛି ଏବଂ ସମଗ୍ର ରାଜ୍ୟରେ ବେଆଇନ ଖଣି ଖନନକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।ସରକାରଙ୍କ ଏହି ଉପସ୍ଥାପନକୁ ଗୁରୁତ୍ୱର ସହ ବିଚାର କରି ଯୁଗ୍ମ ଖଣ୍ଡପୀଠ ମତ ପ୍ରକାଶ କରିଥିଲେ ଯେ, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ବିନା କୌଣସି ବ୍ୟକ୍ତିଙ୍କୁ ବେଆଇନ ଖଣି ଖନନ କରିବାକୁ କଦାପି ଅନୁମତି ଦିଆଯାଇପାରିବ ନାହିଁ। ଏହାପରେ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ସମଗ୍ର ଓଡ଼ିଶାରେ ବେଆଇନ ଖଣି ଖନନ ରୋକିବା ପାଇଁ ଏପର୍ଯ୍ୟନ୍ତ କି ପଦକ୍ଷେପ ନିଆଯାଇଛି ଏବଂ ଆଗାମୀ ଦିନରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯିବ, ସେ ସମ୍ପର୍କରେ ତିନି ସପ୍ତାହ ମଧ୍ୟରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀମାନଙ୍କୁ ପରବର୍ତ୍ତୀ ଏକ ସପ୍ତାହ ମଧ୍ୟରେ ପ୍ରତିଜବାବ ଦାଖଲ କରିବାକୁ କୁହାଯାଇଛି । ଜୁଲାଇ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ