ବିଦ୍ୟୁତ ସର୍ଟସର୍କିଟରେ ଘରପୋଡି ପାଉଁଶ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାଶ) : କେନ୍ଦ୍ରାପଡ଼ା ବ୍ଲକ ଅଧିନ ଗାଙ୍ଗପଡା ପଞ୍ଚାୟତର ସୋବଳା ଗାଁର ଦୈତାରୀ ଭୋଇଙ୍କ ୪ ବଖରା ଚାଳଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡି ପାଉଁଶ ହୋଇଯାଇଛି। ଘରେ ଧାନ ଚାଉଳ ଆସବାବପତ୍ର ଯାହା ଥିଲା ସବୁ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ଭୟାବହତା ଏତେ ପ୍ରଖର ଥିଲା ଯେ ନିଆଁ ଦାଉରୁ କିଛି ଜିନିଷପତ୍ର ଉଦ୍ଧାର କରାଯାଇପାରି ନଥିଲା। ଅପରାହ୍ନ ୧୨ଟା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଦୈତାରୀଙ୍କ ପତ୍ନୀ ପ୍ରମିଳା ପାଟି କରି ଡାକପକାଇବାରୁ ପାଖ ପଡୋଶୀ ମାନେ ଦୌଡି ଆସିଥିଲେ। ହେଲେ ନିଆଁର ଭୟାବହକୁ ଦେଖି କେହିବି ନିଆଁ ପାଖକୁ ଯାଇନଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଗାଡି ପହଞ୍ଚିବା ବେଳକୁ ଚାରି ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦୁଇଟି ଅଗ୍ନିଶମ ଗାଡିକୁ ନିଆଁ ଲିଭାଇବା ପାଇଁ ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥିଲା। ନିଆଁ ସିନା ଆୟତ୍ତ ହୋଇଥିଲା ହେଲେ ସେତେବେଳକୁ ଘର ଭିତର ବାକ୍ସରେ ଥିବା ଟଙ୍କା ୧୦ ହଜାର ଟଙ୍କା, ବାସନ, ଡାଲିଚାଉଳ, ପନିପରିବା, ଲୁଗାପଟା ସହିତ ସୁନା କାନଫୁଲ, ସୁନାଶାଂଖି ଇତ୍ୟାଦି ସମସ୍ତ ଆସବାବପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା। ପାଖ ପଡୋଶୀ ପ୍ରହଲ୍ଲାଦ ରାଉତ ରଖିଥିବା ତିନି ଏକର ଜମିର ପାଳଗଦା ମଧ୍ୟ ସମ୍ପୂର୍ଣ୍ଣ ପୋଡିଯାଇଛି। ଖବରପାଇ ବିଧାୟକ ଗଣେଶ୍ୱର ବେହେରା ଓ ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ କୁମାର ପାତ୍ର ପହଞ୍ଚି ପାଲ ଓ ସୁଖିଲା ଖାଦ୍ୟ ଦେଇଛନ୍ତି। ଦୈତାରୀଙ୍କ ପରିବାର ଏବେ ବେସାହାରା ହୋଇପଡିଛନ୍ତି। ତୁରନ୍ତ ଅନ୍ତୋଦୟ ଗୃହ ଯୋଜନାରେ ଦୈତାରୀଙ୍କୁ ପଚକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ