’ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ

କଟକ(ଓ୍ବାଇଏନଏସ) : ବରିଷ୍ଠ ନାଗରିକଙ୍କ ସହ ସମ୍ପର୍କ ସ୍ଥାପନ ଓ ସେମାନଙ୍କ ସୁଖଦୁଃଖ ବୁଝିବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମ (କେଏମ୍‌ସି) ପକ୍ଷରୁ ଜାରି ରହିଥିବା ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ ଅଧୀନରେ ମେୟର ସୁବାସ ସିଂହ ବରିଷ୍ଠ ଶିକ୍ଷାବିତ୍ ଦାଶରଥି ଦାସଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ମେୟର ଶ୍ରୀ ସିଂହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା, ପାରିବାରିକ କୁଶଳ ଓ ବର୍ତ୍ତମାନର ଜୀବନଯାପନ ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ସହ ଆତ୍ମୀୟତାପୂର୍ଣ୍ଣ ଆଲୋଚନା କରିଥିଲେ।ସୌଜନ୍ୟମୂଳକ ସାକ୍ଷାତ୍‌କାର ସମୟରେ ମେୟର ଶ୍ରୀ ସିଂହ ଶ୍ରୀ ଦାସଙ୍କ ଦୀର୍ଘଦିନର ଅନୁଭୂତି, ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ସମାଜ ପ୍ରତି ତାଙ୍କର ଦୃଷ୍ଟିକୋଣ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଶିକ୍ଷା ଓ ସାମାଜିକ ଜୀବନରେ ଦୀର୍ଘ ଅନୁଭୂତି ହାସଲ କରିଥିବା ବରିଷ୍ଠ ବ୍ୟକ୍ତିତ୍ୱଙ୍କ ମତାମତ ଶୁଣିବା ସହ ସେମାନଙ୍କ ଜୀବନଯାତ୍ରାରୁ ଶିକ୍ଷଣୀୟ ଦିଗଗୁଡ଼ିକୁ ଜାଣିବା ଏହି ସାକ୍ଷାତ୍‌କାରର ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା। କଟକ ମହାନଗର ନିଗମର ଏହି ଜନସମ୍ପର୍କଭିତ୍ତିକ ପଦକ୍ଷେପ ମାଧ୍ୟମରେ ସହରର ବରିଷ୍ଠ ନାଗରିକ, ଶିକ୍ଷାବିତ୍, ସାହିତ୍ୟିକ, ସଂସ୍କୃତିପ୍ରେମୀ ଓ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ବ୍ୟକ୍ତିତ୍ୱଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି। ଏପରି ପଦକ୍ଷେପ ବରିଷ୍ଠ ନାଗରିକଙ୍କ ମନୋଭାବ, ଅନୁଭୂତି ଓ ମତାମତକୁ ଗୁରୁତ୍ୱ ଦେବା ସହ ସେମାନଙ୍କ ସହ ପ୍ରଶାସନର ସମ୍ପର୍କକୁ ଅଧିକ ନିବିଡ଼ କରିବାରେ ସହାୟକ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ