ମିଳୁନି ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡର: ସଂକଟରେ ଆସିକା ଅଞ୍ଚଳର କ୍ୟାଟରିଂ ସଂସ୍ଥା
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡର ସଂକଟ ଜାରି ରହିଛି । ଯାହାରି ଫଳରେ କ୍ୟାଟରିଂ ବ୍ୟବସାୟ କ୍ଷେତ୍ର ନାନା ସଂକଟ ଦେଇ ଗତି କରୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫ ରୁ ଉର୍ଦ୍ଧ୍ୱ କ୍ୟାଟରିଂ ସଂସ୍ଥା ଥିବା ବେଳେ ଏଥିରେ କାର୍ଯ୍ୟରତ ଶତାଧୀକ କର୍ମଚାରୀ କାମଧନ୍ଦା ହରାଇ ବସିଥିବା ଦେଖିବାକୁ ମିଳୁଛି । ଏଲ୍ପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ନ ମିଳିବା ଯୋଗୁଁ କେତେକ କ୍ୟାଟରିଂ ସଂସ୍ଥା ପକ୍ଷେ କାରବାର କରିବା କଷ୍ଟସାଧ୍ୟ ହୋଇପଡିଛି । କମର୍ସିଆଲ୍ ରନ୍ଧନ ଗ୍ୟାସ ସିଲିଣ୍ଡର ମିଳୁନଥିବା ଯୋଗୁଁ କେତେକ କ୍ୟାଟରିଂ ସଂସ୍ଥା ଗତ କିଛି ଦିନ ହେଲା କାରବାର ବନ୍ଦ କରିଦେଇଛନ୍ତି । ଆସିକା ଅଞ୍ଚଳର ଅନ୍ୟତମ ତଥା ଆଗଧାଡିର କ୍ୟାଟରିଂ ସଂସ୍ଥା ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଲୋକଙ୍କୁ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ୧୦ ନମ୍ବର ୱାର୍ଡର ଦାଶରଥୀ ନଗରର ତ୍ରିପାଠୀ କ୍ୟାଟରିଂ ସଂସ୍ଥାର ମାଲିକ ଦିନେଶ୍ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିକହିିଛନ୍ତି ଯେ କ୍ୟାଟରିଂ ବ୍ୟବସାୟୀମାନଙ୍କୁ ରନ୍ଧନ ଗ୍ୟାସ ସିଲିଣ୍ଡିର ପୂର୍ବପରି ଯୋଗାଇ ବ୍ୟବସାୟ ଯେପରି ଜାରି ରଖିବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । କମର୍ସିଆଲ୍ ଗ୍ୟାସ ଯୋଗାଣ ବନ୍ଦ ଥିବା ଯୋଗୁଁ ଏହାର ସିଧାସଳଖ ପ୍ରଭାବ କ୍ୟାଟରିଂ ବ୍ୟବସାୟ ଉପରେ ପଡିଥିବା ଦେଖିବାକୁ ମିଳୁଛି । ଯଦି ଏହି ସମସ୍ୟା ଶୀଘ୍ର ସମାଧାନ ନହୁଏ ତେବେ ଆସିକା ଅଞ୍ଚଳର କ୍ୟାଟରିଂ ବ୍ୟବସାୟୀମାନେ ଗୁରୁତର କ୍ଷତି ସହିବାକୁ ବାଧ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି । ତେଣୁ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।


