ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଦର୍ଶ ଆଚରଣ ବିଧିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା
ଆସିକା (ୱାଇଏନ୍ଏସ୍) :ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଆଦର୍ଶ ଆଚରଣ ବିଧି ଲାଗୁ କରିବା ନେଇ ଚିଠି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ଏହି ଆଚରଣ ବିଧିରେ ଉଲ୍ଲେଖ ରହିଛି ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀ ଆନ୍ଦୋଳନ କରିପାରିବେ ନାହିଁ । ଏପରିକି ସଭାସମିତି ମଧ୍ୟ ବାରଣ କରାଯାଇଛି । ଏହାକୁ ନେଇ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଛାତ୍ର ଜନତା ଦଳର ବହୁ ବରିଷ୍ଠ ନେତାଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧିରେ ଅଣଛାତ୍ର ପ୍ରବେଶ ବନ୍ଦ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିଲା ବେଳେ ଅନ୍ୟ କେତେକ ନୀତିନିୟମକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଆଦର୍ଶ ଆଚରଣ ବିଧି ପାଇଁ ଲାଗୁ କରିଥିବା ନୀତିନିୟମକୁ ପ୍ରତ୍ୟାହାର କରିବା ଦିଗରେ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ଦୃଢ ଦାବୀ କରିଛନ୍ତି ।


