ନୂଆଗାଁରେ ବେଆଇନ ବାଲିଘାଟ: ପ୍ରଶାସନ ଜଳକା
ହାଟଡିହି (ଓ୍ବାଇଏନଏସ): ନୂଆଗାଁ ରେ ବେଆଇନ ଭାବେ ଏକ ବାଲିଘାଟ ଚାଲିଥିବା ବେଳେ ପ୍ରଶାସନ ଜାଣି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନି। କିଛି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ବାଲି ଘାଟ ଚାଲୁଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରିବାକୁ ସାହାସ କରୁ ନାହାନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ଗତ ୨୦ ଦିନ ହେଲା କେନ୍ଦୁଝର ଜିଲ୍ଲା ସୀମାନ୍ତ ନୂଆଗାଁ ବୈତରଣୀ ବାଲି ଘାଟରୁ କିଛି ମାଫିଆ ମେସିନ ପକାଇ ବାଲି ଉତ୍ତୋଳନ କରୁଛନ୍ତି। ଦୈନିକ ଶହ ଶହ ଟ୍ରାକ୍ଟର, ମିନି ଟ୍ରକ ଯୋଗେ ବାଲି ପରିବହନ ହେଉଛି। ମାଫିଆ ମାନେ ଗାଁ ଲୋକଙ୍କୁ ମୋଟା ଅଙ୍କର ହାତ ଗୁଞ୍ଜା ଦେଇ ଏହି ବେଆଇନ ବାଲି କାରବାର କରୁଥିବା ଜଣା ଯାଇଛି। ଏନେଇ ପୁଲିସ ପ୍ରଶାସନ ଓ ଖଣି ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଘାଟ ଉପରେ ଚଢ଼ାଉ କରାଯାଉ ନାହିଁ। ଦିନ ଦିପହରେ ନଦୀ ଶଯ୍ୟାରେ ମେସିନ ଦ୍ୱାରା ବାଲି ଉତ୍ତୋଳନ ହେଉଥିଲେ ବି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରଶାସନ ର ସ୍ୱଚ୍ଛତା ଉପରେ ଆଙ୍ଗୁଳି ନିର୍ଦେଶ କରୁଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


