ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ବଦଳରେ ସମ୍ମୁଖରେ ଗଦା ହୋଇଛି କାଠ

ନାଉଗାଁ,(ଓ୍ବାଇଏନଏସ):ବିଦ୍ୟାଳୟଗୁଡିକର ସୌନ୍ଦର୍ଯ୍ୟ ବୃଦ୍ଧି ତଥା ପିଲାମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ବିଦ୍ୟାଳୟ ଗୁଡିକୁ ସୌନ୍ଦର୍ଯ୍ୟକରଣ କରାଗଲେ ତାହା ସୁନ୍ଦର ଦେଖାଯିବ। ଫଳରେ ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ। ବିଦ୍ୟାଳୟ କାନ୍ଥରେ ବିଭିନ୍ନ ପ୍ରକାର କଳାକୃତିର ଛବି ଅଙ୍କା ଯିବା ସହ ବିଦ୍ୟାଳୟ ସମ୍ମୁଖକୁ ବିଭିନ୍ନ ପ୍ରକାର ଫୁଲ ଗଛରେ ସୁସଜ୍ଜିତ କରାଯିବାର ନିୟମ ରହିଛି। କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୌନ୍ଦର୍ଯ୍ୟକରଣ ବଦଳରେ ପରିସରେ କାଠ ଗଦା ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢିଥାନ୍ତି। ବିଦ୍ୟାଳୟଟି ପୂର୍ତ ବିଭାଗର କୋକିଢିହ-ତେଲସରା ରାସ୍ତାର ଗଙ୍ଗଦାହାଟ ନିକଟରେ ଅବସ୍ଥିତ। ବିଦ୍ୟାଳୟ ସମ୍ମୁଖରେ ଯେତିକି ସ୍ଥାନ ରହିଛି ବିଦ୍ୟାଳୟରେ ସମୁଦାୟ ସେତିକି ସ୍ଥାନ ଖାଲି ରହିଛି। ସେହି ସ୍ଥାନରେ ପିଲାମାନେ ଖେଳକୁଦ କରିବା ପାଇଁ ମଧ୍ୟ ସଂକୀର୍ଣ୍ଣ ଅଟେ। ଦୀର୍ଘ ଦିନ ଧରି କାଠ ଗଦା ହେବା ଫଳରେ ପିଲାମାନଙ୍କର ଖେଳକୁଦ ଏକରକମ ଠପ୍ ହୋଇଗଲାଣି। ସେହିପରି ପ୍ରତି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ପାଇଁ ରୋଷେଇ ଗୃହ ଥିବା ବେଳେ ସରକାରଙ୍କ ତରଫରୁ ଗ୍ୟାସରେ ରୋଷେଇ କରିବା ପାଇଁ ନିୟମ ରହିଛି। ଅନେକ ବିଦ୍ୟାଳୟ ଗ୍ୟାସ ଚୁଲା ବଦଳରେ କାଠ ଚୁଲାରେ ରୋଷେଇ କରୁଛନ୍ତି। କାଠ ଚୁଲାରେ ରୋଷେଇ କରିବା ଦ୍ୱାରା ଚୁଲି ଧୂଆଁରେ କେବଳ ରୋଷ ଘର ନୁହେଁ ବିଦ୍ୟାଳୟ ଗୃହ କଳା ପଡିବା ସହ ବାୟୁ ପ୍ରଦୁଷଣ ମଧ୍ୟ ହେଉଛି। କାଠ ଚୁଲାରେ ରୋଷେଇ କରିବା ଫଳରେ ବିଦ୍ୟାଳୟରେ ଗଦା ଗଦା କାଠ ଗଚ୍ଛିତ ରଖିବାକୁ ପଡୁଛି। କେବଳ ଉକ୍ତ ବିଦ୍ୟାଳୟ ନୁହେଁ ଏହି ବ୍ଳକର ଅନେକ ବିଦ୍ୟାଳୟରେ କାଠ ଚୁଲା ବ୍ୟବହାର କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଜଣାଯାଇଛି। ଏବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ମତାମତ ମିଳି ପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ