ଚୌଦ୍ୱାର ଜେଲ୍ରେ ଅଧୀକ୍ଷକ ଥିଲେ, ସେହି ଜେଲରେ କଏଦୀ ହୋଇ ରାତି କାଟିଲେ ସୁଜିତ ରାଉଳ
କଟକ, (ଓ୍ବାଇଏନଏସ): ନିଜେ ଯେଉଁ ଜେଲ୍ ରେ ଅଧୀକ୍ଷକ ଥିଲେ, ସେହି ଜେଲରେ ରାତି କାଟିଛନ୍ତି ସୁଜିତ ରାଉଳ। ଚୌଦ୍ବାର ସର୍କଲ୍ ଜେଲ୍ ଅଧୀକ୍ଷକ ସୁଜିତଙ୍କୁ ଗତକାଲି ଚୌଦ୍ବାର ପୋଲିସ୍ ଗିରଫ କରିବା ପରେ ଏବେ ନିଜ ଜେଲ୍ ରେ କଏଦୀଙ୍କ ଭଳି ଦିନ କାଟୁଛନ୍ତି। ୨୦୨୫ର ଦୁଇ ବିହାରୀ କଏଦୀ ଫେରାର ଘଟଣାରେ ସୁଜିତଙ୍କ ସଂପୃକ୍ତି ଅଭିଯୋଗ ସହିତ ଜେଲ୍ ର ମିନିଟ୍ ବୁକ୍ ଜାଲିଆତି କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। କିଛି ଦିନ ତଳେ ହାଇକୋର୍ଟରେ ତାଙ୍କ ଆଗୁଆ ଜାମିନ ଆବେଦନ ନାମଞ୍ଜୁର ହେବାପରେ ଗିରଫ ହୋଇଛନ୍ତି ସୁଜିତ୍। ଗତ ରାତିରେ ତାଙ୍କୁ ଟାଙ୍ଗୀ JMFCଙ୍କ ନିକଟରେ ହାଜର କରାଯିବା ପରେ ଜେଲ୍ କୁ ପଠାଇ ଦିଆଯାଇଥିଲା। ସୁଜିତଙ୍କ ବିରୋଧରେ BNSର ଧାରା 336 (3) ଜାଲିଆତି କରି ଠକିବା, 336 (4) ମାନହାନୀ କରିବା ଉଦ୍ଦେଶ୍ୟରେ ଜାଲିଆତି କରିବା, 337 ଅର୍ଥାତ ସରକାରୀ ରେକର୍ଡ ଜାଲିଆତି କରିବା ଭଳି ଦଫା ଲାଗିଛି। ସେପଟେ ଏ ପର୍ଯ୍ୟନ୍ତ ଜେଲ୍ ମିନିଟ୍ ବୁକ୍ ପୋଲିସର ହସ୍ତଗତ ହୋଇନଥିବା କଟକ ଡିସିପି ସୂଚନା ଦେଇଛନ୍ତି। ତେଣେ ଜେଲ୍ ଡିଜି ସୁଶାନ୍ତ ନାଥ, ଆଜି ଚୌଦ୍ବାର ଜେଲ୍ ରେ ପହଞ୍ଚି ସେଠାକାର ସ୍ଥିତିର ସମୀକ୍ଷା କରିଛନ୍ତି। ୨୦୨୫ ଅକ୍ଟୋବର ୨। ଦଶହରା ପାଇଁ ସବୁଆଡ଼େ ଉତ୍ସବ ମୁଖର ପରିବେଶ ଥିବାବେଳେ ଚୌଦ୍ବାର ଜେଲରୁ ଦୁଇ ବିହାରୀ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ ରଣା ଫେରାର୍ ମାରିଥିଲେ। ଏହି ଘଟଣା ପରେ ସନ୍ଦେହ ଘେରକୁ ଆସିଥିଲେ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ। କଏଦୀ ଫେରାର ଘଟଣାରେ ସୁଜିତଙ୍କ ସଂପୃକ୍ତି ସହ ଜେଲ୍ ର ମିନିଟ୍ ବୁକ୍ ଏବଂ ଦସ୍ତଖତ ଜାଲିଆତି କରଯାଇଥିବା ନେଇ ତାଙ୍କ ନାଁ ରେ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାସ ଥାନାରେ ଅଭିଯୋଗ କରିଥିଲେ। ଯେଉଁଦିନ ଦୁଇ କଏଦୀ ଜେଲରୁ ଚଂପଟ୍ ମାରିଥିଲେ ସେହିଦିନ ନିଜେ ଅଧୀକ୍ଷକ ସୁଜିତ ଜେଲରେ ଅନୁପସ୍ଥିତ ଥାଇ ମଧ୍ୟ ମିନିଟ୍ ବୁକ୍ ରେ ନିଜେ ଉପସ୍ଥିତ ଥିବା ନେଇ ଦର୍ଶାଇଥିଲେ। ଏହାସହ ତାଙ୍କ ଦସ୍ତଖତ ମଧ୍ୟ ଜାଲିଆତି କରିଥିବା ନେଇ ସାଂଘାତିକ ଅଭିଯୋଗ କରିଥିଲେ ତତ୍କାଳୀନ ଜେଲର୍। କମିଶନରେଟ୍ ପୋଲିସ ଘଟଣାର ତଦନ୍ତ କରିବା ସହ ସୁଜିତଙ୍କୁ ଏ ନେଇ ପଚରାଉଚରା କରିଥିଲା। ହେଲେ ସେ ତଦନ୍ତରେ ସହଯୋଗ କରୁନଥିବା ବେଳେ ବାରମ୍ବାର କହିବା ସତ୍ତ୍ବେ ପୋଲିସ୍ ମିନିଟ୍ ବୁକ୍ ଦେଇନଥିଲେ। ଶେଷରେ ଗତ ଅଗଷ୍ଟ ୧୭ରେ ମିନିଟ୍ ବୁକ୍ ଗାଏବ୍ ସଂପର୍କରେ ଥାନାରେ ଏତଲା ଦେଇଥିଲେ। ଗିରଫଦାରୀ ଆଶଙ୍କା କରି ସୁଜିତ୍, ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ମଧ୍ୟ କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ। ଏହାପରେ ସୁଜିତ କେଉଁଆଡ଼େ ଗାଏବ୍ ହୋଇଯାଇଥିଲେ। ପ୍ରଶ୍ନ ଉଠୁଛି ଏତେ ସବୁ ଘଟଣା ସତ୍ତ୍ବେ ସୁଜିତ କୁମାରଙ୍କୁ ପୂର୍ବରୁ କାହିଁକି ଡ୍ୟୁଟିରୁ ଅପସାରଣ କରାଗଲା ନାହିଁ? ତାଙ୍କୁ କେଉଁ ବରିଷ୍ଠ ଅଧିକାରୀ ସୁରକ୍ଷା ଦେଉଥିଲେ? ଚୌଦ୍ବାର ଜେଲ୍ ବିବାଦରୁ ପୁରା ବିଭାଗ ବଦନାମ ମୁଣ୍ଡାଇଥିବା ବେଳେ ଆଗକୁ ଏହି ମାମଲା କି ମୋଡ଼ ନେଉଛି ତାକୁ ଅପେକ୍ଷା।


