ମୃତ୍ୟୁଶଯ୍ୟାରେ ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ !
ଆସିକା ତା ୧୨/୦୬ (ୱାଇଏନ୍ଏସ୍) ସମବାୟ ନଗରୀ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ଅଞ୍ଚଳରେ ଥିବା ବହୁ ସମବାୟ ଅନୁଷ୍ଠାନ ବିଗତ କିଛି ବର୍ଷ ମଧ୍ୟରେ ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ସାଙ୍ଗକୁ ଅନ୍ୟାନ୍ୟ କେତେକ କାରଣରୁ ଜନମାନସରୁ ଲିଭିଯାଇଥିଲା ବେଳେ ଯେଉଁ କେତୋଟି ହାତଗଣତି ସମବାୟ ଅନୁଷ୍ଠାନ ବଞ୍ଚି ରହିଛି ସେଥିମଧ୍ୟରୁ ୧୯୩୭ ମସିହାରେ କବିରାଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିବା ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଅନ୍ୟତମ । ଅତୀତରେ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ଏହି ପୁରାତନ ଆୟୁର୍ବେଦ ଅନୁଷ୍ଠାନ ଖ୍ୟାତି ଅର୍ଜନ କରିଥିଲା । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀରୁ ଅତୀତରେ ପ୍ରସ୍ତୁତ ହେଉଥିବା ଔଷଧର ଚାହିଦା ବି ରହିଥିଲା । ଏବେ ବିଗତ କିଛି ମାସ ହେଲା ଏହି ପୁରାତନ ସମବାୟ ଅନୁଷ୍ଠାନର କର୍ପୂର ଉଡିଯାଇଥିଲା ବେଳେ କେବଳ କନା ହିଁ ପଡିରହିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଏହି ଖ୍ୟାତିସଂପନ୍ନ ସମବାୟ ଅନୁଷ୍ଠାନ ବିଗତ କିଛି ମାସ ହେଲା ନାନା ସଂକଟ ମଧ୍ୟ ଦେଇ ଗତି କରୁଥିବା ଜଣାପଡିଛି । ଗତ ୨୦୨୪ ମସିହା ଜୁଲାଇ ମାସରୁ ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ଲାଇସେନ୍ସ ରଦ୍ଦ ହେବା ପରେ ଔଷଧ ପ୍ରସ୍ତୁତି ଓ ବିକ୍ରୀ ବନ୍ଦ ହୋଇରହିଥିବା ଯୋଗୁଁ ମୃତ୍ୟୁଶଯ୍ୟାରେ ଏହି ସଂସ୍ଥା ପଡିରହିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀକୁ ଜୀବନ୍ତ କରି କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି । ଆୟୁର୍ବେଦ ଔଷଧ ପ୍ରସ୍ତୁତ କରି ରାଜ୍ୟର ବ୍ରହ୍ମପୁର, ପୁରୀ, ସମ୍ବଲପୁର, ଢେଙ୍କାନାଳ, ପାରଳାଖେମୁଣ୍ଡି, ଗୁଣପୁର, ଭୁବନେଶ୍ୱର, ରାଉରକେଲା ଓ ରାଜ୍ୟ ବାହାରେ ସୋମ୍ପେଣ୍ଠ, କଲିକତା ଇତ୍ୟାଦି ଅଞ୍ଚଳରେ ଶାଖା କାର୍ଯ୍ୟାଳୟମାନ ସ୍ଥାପନ କରି ଆୟୁର୍ବେଦ ଔଷଧର ପ୍ରଚାର ଓ ପ୍ରସାର ସାଙ୍ଗକୁ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଉପଯୋଗୀ ଆୟୁର୍ବେଦ ଔଷଧ ଯୋଗାଇ ସୁଖ୍ୟାତି ଅର୍ଜନ କରିଆସୁଥିବା ସ୍ଥାନୀୟ ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ବିଗତ କିଛି ମାସ ହେଲା ନାନା ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଥିଲେ ମଧ୍ୟ ଏହି ପୁରାତନ ସମବାୟ ଅନୁଷ୍ଠାନକୁ ପୂର୍ବଭଳି କ୍ରିୟାଶୀଳ କରିବା ଦିଗରେ ସମବାୟ ବିଭାଗର ନିଘୋଡ ନିଦ୍ରା ଭାଙ୍ଗୁନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ପଦକ୍ଷେପ ନନେଲେ ଏହି ଅନୁଷ୍ଠାନ ବି କାଳର କରାଳ ଗର୍ଭରେ ଜନମାନସରୁ ଲିଭିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସ୍ଥାନୀୟ ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃରୁ ଔଷଧ ଉତ୍ପାଦନ ଓ ବିକ୍ରୀ ଉପରେ ଆୟୁଷ ମନ୍ତ୍ରଣାଳୟ ଗତ ୨୦୨୪ ଜୁଲାଇ ମାସରେ କଟକଣା ଜାରି କରିଥିବାରୁ ପ୍ରାୟ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନତ ମାନର ଆୟୁର୍ବେଦ ଔଷଧ ଅବିକ୍ରୀ ହୋଇପଡିରହିଥିଲା ବେଳେ ପ୍ରାୟ ୮ ଲକ୍ଷ ଟଙ୍କାର ଔଷଧ ଉତ୍ପାଦନ ପାଇଁ କ୍ରୟ କରାଯାଇଥିବା କଞ୍ଚା ମାଲ୍ ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଥିବା ଚର୍ଚ୍ଚା ହେଉଛି । ସ୍ଥାନୀୟ ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଅଧୀନରେ କାର୍ଯ୍ୟରତ ଥିବା ବହୁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଗତ ୨୦୨୪ ମସିହା ଫେବୃୟାରୀ ମାସରୁ ଦୀର୍ଘ ୨୭ ମାସ ହେଲା ଦରମା ପାଇବାରୁ ବଂଚିତ ହୋଇ ଭୋକ ଉପାସରେ କାଳାତିପାତ କରୁଥିବା ଦେଖିବାକୁ ମିଳୁଛି । ନିଜ ପରିବାର ବର୍ଗଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଆହାର କିପରି ଯୋଗାଇବେ ସେ ନେଇ ବହୁ କର୍ମଚାରୀ ଚିନ୍ତିତ ହୋଇପଡିଥିଲେ ମଧ୍ୟ ଭାଗ୍ୟକୁ ଆଦରି କାଳାତିପାତ କରୁଥିବା ଦେଖିବାକୁ ମିଳୁଛି । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀରେ କାର୍ଯ୍ୟରତ ବହୁ କର୍ମଚାରୀ ପେଟପାଟଣା ତଥା ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରିଆ ଭାବେ କାମ କରୁଥିଲା ବେଳେ ମାତ୍ର ୩ ଜଣ କର୍ମଚାରୀ ସାଂପ୍ରତିକ ପରିସ୍ଥିତିରେ ସୁରକ୍ଷା ଦାୟିତ୍ୱରେ ରହିଥିବା ଜଣାପଡିଛି । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀରୁ ଔଷଧ ଉତ୍ପାଦନ ଓ ବିକ୍ରୀ ବନ୍ଦ ରହିଥିବା ଯୋଗୁଁ ଏହି ପୁରାତନ ସମବାୟ ଅନୁଷ୍ଠାନର ଓ କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବପରି ସ୍ଥାନୀୟ ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀର ଔଷଧ ଉତ୍ପାଦନ ଓ ବିକ୍ରୀବଟା ହେବକି ନାହିଁ ତାହାକୁ ନେଇ ସମବାୟପ୍ରେମୀ ମହଲରେ ଚର୍ଚ୍ଚା ଜୋର୍ ଧରିଥିଲା ବେଳେ ଏହାକୁ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରାନଗଲେ ଏହି ସଂସ୍ଥା ବି ଆସିକାରେ ଇତିହାସ ପାଲଟିଯିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀରେ ଲାଗିରହିଥିଲା ଅଚଳାବସ୍ଥା ସଂକ୍ରାନ୍ତରେ ଭାରପ୍ରାପ୍ତ ସଂପାଦକ କମଳ କୁମାର ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଏହି ପୁରାତନ ସମବାୟ ଅନୁଷ୍ଠାନର ଲାଇସେନସ୍ ନବୀକରଣ ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆୟୁଷ୍ ବିଭାଗ ଓ ସମବାୟ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ଅତିଶୀଘ୍ର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ବି ନିଆଯାଉଛି । ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀର ଅତୀତ ଗୌରବକୁ ଉଜ୍ଜିବିତ କରିବା ସହ ପୂର୍ବ ଭଳି ଯେପରି ଔଷଧ ଉତ୍ପାଦନ ହେବ ଓ କର୍ମଚାରୀମାନେ ନିୟମିତ ଦରମା ପାଇବେ ସେ ଦିଗରେ ପଦକ୍ଷେପ ନେବାକୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମନୋରଞ୍ଜନ ପଣ୍ଡା ଅନୁରୋଧ କରିଛନ୍ତି ।


