ଜଳୁନି ଷ୍ଟ୍ରିଟ ଲାଇଟ: ବାସିନ୍ଦା ହନ୍ତସନ୍ତ
ଦିଗପହଣ୍ଡି (ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୨ ନଂ ୱାର୍ଡ ବିଷ୍ଣୁପ୍ରିୟା ନଗର ୨ ୟ ଲେନ୍ ରେ ଷ୍ଟ୍ରିଟ ଲାଇଟ ବିଦ୍ୟୁତ ଖୁଣ୍ଟ ଅଛି।ଲାଇଟ ଲାଗିଛି ହେଲେ ଜଳୁ ନଥିବା କାରଣରୁ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ସନ୍ଧ୍ୟା ରେ ଟ୍ୟୁସନ୍ ଯାଇ ଫେରୁଥିବା ଛାତ୍ରୀ ଛାତ୍ର ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦୀର୍ଘଦିନ ହେଲା ଷ୍ଟ୍ରିଟ୍ ଲାଇଟ୍ ନଥିବା କାରଣରୁ ଚୋରି ବଢୁଛି।ସାମାନ୍ୟ ବର୍ଷା ହେଲେ ରାସ୍ତା ରେ ସାପ, ବିଛା ଭଳି ସରିସୃପ ବିଚରଣ କରୁଛନ୍ତି।ଘନ ଅନ୍ଧକାର ଯୋଗୁଁ ସନ୍ଧ୍ୟା ପରେ ରାସ୍ତାରେ ଝିଅ ବୋହୂ ମାନେ ଚଳପ୍ରଚଳ କରିବାକୁ ନିରାପଦ ମଣୁ ନାହାନ୍ତି। ପୂର୍ବରୁ କିଛିଦିନ ଷ୍ଟ୍ରିଟ୍ ଲାଇଟ ଜଳୁଥିଲା।କିନ୍ତୁ କୌଣସି କାରଣରୁ ଏନଏସି କର୍ତ୍ତୃପକ୍ଷ ଷ୍ଟ୍ରିଟ ଲାଇଟ୍ ସଂଯୋଗ ବିଚ୍ଛିନ୍ନ କରିଦେଇଥିବା ଅଭିଯୋଗ ହୋଇଛି। ଷ୍ଟ୍ରିଟ ଲାଇଟ ସଂଯୋଗ ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ତତ୍କାଳୀନ ଏନଏସି କର୍ମଚାରୀ ମାନଙ୍କ ଅପରିଣାମଦର୍ଶୀ କାରଣରୁ ଷ୍ଟ୍ରୀଟ ଲାଇଟ ସଂଯୋଗ ନିମନ୍ତେ ସ୍ଵତନ୍ତ୍ର କେବୁଲ୍ ଟଣାନଯାଇ ଘରୋଇ ବିଦ୍ୟୁତ କନେକ୍ସନ ପାଇଁ ଉଦ୍ଦିଷ୍ଟ କେବୁଲ ରେ ଷ୍ଟ୍ରିଟ ଲାଇଟ ପାଇଁ କନେକ୍ସନ ଦିଆଯାଇଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ଜାଣିବାକୁ ମିଳିଛି। ଏନେଇ କିଶୋର ଗୌଡ଼,ଯୁଧିଷ୍ଠିର ପାତ୍ର,ପବିତ୍ର ମୋହନ ସ୍ବାଇଁ,ବିଶ୍ୱଜିତ ମହାଙ୍କୁଡ଼,ପ୍ରଦ୍ୟୁମ୍ନ ସାହୁ,ସୁଶାନ୍ତ କୁମାର ଭୁଁୟା,ବିନାୟକ ପାତ୍ର,ନାରାୟଣ ପାତ୍ର,କୁନା ବିଷୋୟୀ ପ୍ରମୁଖ କଲୋନୀ ବାସିନ୍ଦା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଇଛନ୍ତି। ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ବାସିନ୍ଦାଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।ଏନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଷ୍ଟ୍ରିଟ୍ ଲାଇଟ ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ଘରୋଇ ଏଜେନସିି ଷ୍ଟ୍ରିଟ୍ ଲାଇଟ କେବୁଲ ନଟାଣି ହାଉସ କନେକ୍ସନ କେବୁଲ ରେ ଷ୍ଟ୍ରିଟ ଲାଇଟ କେବୁଲ ଗୁଡ଼ିକୁ ସଂଯୋଗ କରିଦେଇଥିବା କାରଣରୁ କିଛିଦିନ ପୂର୍ବେ ବିଳମ୍ବିତ ରାତିରେ ହସ୍ପିଟାଲ ଛକ ନିକଟରେ ଥିବା ବିଦ୍ୟୁତ ଟ୍ରାନସଫରମର ଓ କେବୁଲ ପୋଡ଼ି ଯାଇଥିଲା।ଲୋକଙ୍କ ଘରୁ ବିଦ୍ୟୁତ ବିଚ୍ଛିନ୍ନ କାରଣରୁ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଲାଇନ୍ ମ୍ୟାନ ଘଟଣାସ୍ଥଳରେ ପହଞ୍ଚି ଷ୍ଟ୍ରିଟ୍ ଲାଇନ୍ ସଂଯୋଗ କୁ ବିଚ୍ଛିନ୍ନ କରିଦେଇଥିବା କହିଛନ୍ତି। ଷ୍ଟ୍ରିଟ୍ ଲାଇନ୍ କେବୁଲ ସଂଯୋଗ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଚିଠି କରାଯାଇଛି।ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।ଏନେଇ କାଉନସିଲର ସୁଶାନ୍ତ ପାତ୍ର ଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ସହ ସେ ଏନେଇ ବିଶଦ ଆଲୋଚନା କରିଛନ୍ତି।ଖୁବ ଶୀଘ୍ର ନୂତନ କେବୁଲ ସଂଯୋଗ କରାଯାଇ ସାହି ଆଲୁଅ ର ବ୍ୟବସ୍ଥା କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।


