ମୌଳିକ ସୁବିଧା ଯୋଗାଇଦେବା ଦାବିରେ ବିଧାନସଭା ସମ୍ମୁଖରେ କେ. ବାଲିପାଳ ଗ୍ରାମ ପଞ୍ଚାୟତବାସୀଙ୍କ ବିକ୍ଷୋଭ

ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ କେ. ବାଲିପାଳ ଗ୍ରାମ ପଞ୍ଚାୟତର ଆଦିମ ଅଧିବାସୀ ତଥା ଜନଜାତି ମାନେ ମୌଳିକ ସୁବିଧା ଦାବିରେ ଆଜି ଓଡିଶା ବିଧାନସଭା ଘେରାଉ କରିବା ସହିତ   ଗଣଧାରଣା ଦେଇଥିଲେ। ସେମାନେ ଏନେଇ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଏସ.ଏନ ଗିରୀଶଙ୍କ ଜରିଆରେ ପ୍ରଦାନ କରିଛନ୍ତି। ତେବେ ୧୦ ଦିନ ଭିତରେ ସମସ୍ତ ବିସ୍ଥାପିତ ପରିବାରଙ୍କୁ “ବସୁନ୍ଧରା” ଯୋଜନାରେ ଜମିପଟ୍ଟା ପ୍ରଦାନ କରାଯିବା ନିମନ୍ତେ ଆନ୍ଦୋଳନକାରୀଙ୍କୁ ଆଶ୍ଵାସନା ଦେଇଥିବା ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି।  ଦାବି ଗୁଡିକ ମଧ୍ୟରେ ଉକ୍ତ ପଞ୍ଚାୟତବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ ଅନୁଯାୟୀ ଜମି ପଟ୍ଟା ପ୍ରଦାନ କରାଯିବା ସହିତ ସମସ୍ତ ବିସ୍ଥାପିତ ପରିବାରଙ୍କୁ “ବସୁନ୍ଧରା” ଯୋଜନାରେ ଜମିପଟ୍ଟା ପ୍ରଦାନ କରାଯିବା ଦାବି ରହିଛି। ସ୍ବାଧୀନତାର ୭୯ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରା ଯାଇ ନ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଗ୍ରାମ ପଞ୍ଚାୟତର ସମସ୍ତ ପରିବାରଙ୍କୁ ବିଦ୍ୟୁତ ସଂଯୋଗ କରାଯିବା ପ୍ରମୁଖ ଦାବି ରହିଛି। ସେମାନେ ତାଙ୍କ ଗ୍ରାମରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବାରୁ ଉକ୍ତ ପଞ୍ଚାୟତର ପାଲବଣି ଗ୍ରାମରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ମଧ୍ୟ ଦାବି କରା ଯାଇଛି। ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ବିଦ୍ୟୁତ ସେବା ଏବଂ ମୋବାଇଲ ନେଟୱର୍କ ଭଳି ଗୁରୁତ୍ୱପୂର୍ଣ୍ଣ ସେବାରୁ ବଞ୍ଚିତ ହୋଇଛନ୍ତି ଏବଂ ସେଥି ପାଇଁ ସେଠାରେ ଏକ ମୋବାଇଲ ଟାୱାର ମଧ୍ୟ ସ୍ଥାପନ କରିବା ନିମନ୍ତେ ଦାବିପତ୍ରରେ ଦର୍ଶାଯାଇଛି। ଅନ୍ୟ ଦାବି ଗୁଡିକ ମଧ୍ୟରେ ଅନୁନ୍ନତ “ହାଟଡିହି”କୁ “ଆକାଂକ୍ଷୀ ବ୍ଲକ” ଯୋଜନାରେ ସାମିଲ କରାଯିବା ସହିତ କେନ୍ଦୁଝର ଜିଲ୍ଲାକୁ “ଆକାଂକ୍ଷୀ ଜିଲ୍ଲା ” ମାନ୍ୟତା ପ୍ରଦାନ, ଛତ୍ରାଘାଟିଠାରୁ କେ. ବାଲିପାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆଦି ଦାବିମାନ ଅନ୍ତର୍ଭୁକ୍ତ ହୋଇଛି। ସେହିପରି ଉକ୍ତ ଗ୍ରାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯିବା ନିମନ୍ତେ ମଧ୍ୟ ଦାବି ରହିଛି। ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ ଶରତ ବିକାଶ ମଞ୍ଚ” ଏବଂ କେ. ବାଲିପାଳ ଗ୍ରାମ ପଞ୍ଚାୟତବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଟିତ ହୋଇଥିବା ଏହି ଗଣଧାରଣାରେ ବିକାଶ ମଞ୍ଚ ସଭାପତି ଗାମାଏ ରୀମିଲ ସିଂ ଗୋଇପାଇ, ଯୁଗ୍ମ ସମ୍ପାଦକ ଜାମାଦାର ବାଲମୁଚୁ, ନବୀନ ମୁଣ୍ଡୁରୀ, ବୁଦ୍ଧିରାମ ପୂର୍ତ୍ତି, ଜିରୁଙ୍ଗ ବଦରା, ଜୁରେ ପୂର୍ତ୍ତି, ସୁନାରାମ ପୂର୍ତ୍ତି , ରାମଚନ୍ଦ୍ର ଟୁଡୁ, ପାର୍ବତୀ ସାମାଡ, ଲକ୍ଷ୍ମୀ ମାଝୀ , ରାଜ ପୂର୍ତ୍ତି, ଲମ୍ଭୋଦର ଗୋଇପାଇ ପ୍ରମୁଖ ନେତୃତ୍ଵ ନେଇଥିଲେ । ତେବେ ସମସ୍ତ ଦାବି ୨ ମାସ  ମଧ୍ୟରେ ନ ପୂରଣ ହୋଇ ପାରିଲେ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ସମୂହକୁ ନେଇ ଡିସେମ୍ବର ଦ୍ଵିତୀୟ ସପ୍ତାହରେ ନୂଆଦିଲ୍ଲୀସ୍ଥିତ ସାଂସଦ ଭବନ ଘେରାଉ କରାଯିବ ବୋଲି ବିକାଶ ମଞ୍ଚ ସଭାପତି ଶ୍ରୀ ଗୋଇପାଇ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ