ନଦୀରେ ଭାସିଗଲେ କାଉଡ଼ିଆ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ରରୁଆଁ ଥାନା ଅଧୀନ ସିଲୀମାପୋଷି ଗ୍ରାମ ନିକଟ କଣ୍ଟାଖଇରୀ ନଦୀରେ ଜଣେ କାଉଡ଼ିଆ ଭାସିଯାଇଥିବା ନେଇ ଶୁକ୍ରବାର ସନ୍ଧ୍ୟାରେ ଅଘଟଣ ଘଟିଛି। ନିଖୋଜ କାଉଡ଼ିଆ ଜଣକ ରାଇରଙ୍ଗପୁର ଅଞ୍ଚଳର ଜଣ୍ଟି ନନ୍ଦ (୨୬) ବୋଲି ଜଣାପଡ଼ିଛି। ଶ୍ରାବଣ ମାସ ଅବସରରେ ଜଣ୍ଟି ନନ୍ଦ କାଉଡ଼ିଆ ଭାବେ ଯାତ୍ରା କରୁଥିବା ସମୟରେ ସିଲୀମାପୋଷି ଗ୍ରାମ ନିକଟ କଣ୍ଟାଖଇରୀ ନଦୀରେ କୌଣସି କାରଣରୁ ଭାସିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ନଦୀକୂଳରେ ଖୋଜାଖୋଜି ଆରମ୍ଭ କରିଥିଲେ। ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କଣ୍ଟାଖଇରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ନଦୀରେ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଜଣ୍ଟି ନନ୍ଦଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି। ଘଟଣାକୁ ନେଇ ଜଣ୍ଟିଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଥିବା ବେଳେ ଘଟଣା ସମ୍ପର୍କରେ ରରୁଆଁ ପୁଲିସ ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ