ହର ଘର ତ୍ରିରଙ୍ଗା ଶୋଭାଯାତ୍ରା
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଆଜି ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହ ଓ ଦେଶାତ୍ମବୋଧର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏନ୍ଏସି କାର୍ଯ୍ୟାଳୟଠାରୁ ଶୋଭାଯାତ୍ରା ବାହାରି କୋଟପାଡ଼ ସହର ପରିକ୍ରମା କରି ଗାନ୍ଧୀଛକରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ କୋଟପାଡ଼ ବିଧାୟକ ରୂପୁ ଭତରା, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ପ୍ରଦୀପ ରଥ, ଭାରପ୍ରାପ୍ତ ତହସିଲଦାର ପର୍ଶୁରାମ ଭତରା, ଅତିରିକ୍ତ ତହସିଲଦାର ଗୀତାଞ୍ଜଳି ଗଣ୍ଡ, କଂଗ୍ରେସର ବରିଷ୍ଠ ନେତା ମନୋହର ବିଶୋଇ, କୋଟପାଡ଼ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ନାୟକ, ଅଧ୍ୟକ୍ଷ ଏମ୍. ଶଙ୍କର ରାଓ, ଉପାଧ୍ୟକ୍ଷା ଏମ୍. ସନ୍ତୋଷୀଙ୍କ ସମେତ ସମସ୍ତ ୱାର୍ଡ ସଦସ୍ୟ ଯୋଗଦେଇଥିଲେ। ଏଥିସହ ଏନ୍ଏସିର ସମସ୍ତ କର୍ମଚାରୀ, ପୁଲିସ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀ, କୋଟପାଡ଼ ଭାରତ ମିଡିଆ ଆସୋସିଏସନ୍ର ସାମ୍ବାଦିକବୃନ୍ଦ, ବିଭିନ୍ନ ରାଜନୈତିକ ଦଳର କର୍ମୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟକ ଅଞ୍ଚଳବାସୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ତ୍ରିରଙ୍ଗା ପତାକା ହାତରେ ଧରି ଶୋଭାଯାତ୍ରାରେ ସାମିଲ ଲୋକମାନେ ‘ଭାରତ ମାତା କୀ ଜୟ’, ‘ବନ୍ଦେ ମାତରମ୍’ ଆଦି ଦେଶଭକ୍ତିମୟ ସ୍ଲୋଗାନ ଦେଇଥିଲେ। ଏଥିରେ ସମଗ୍ର କୋଟପାଡ଼ ସହର ଦେଶପ୍ରେମର ଭାବନାରେ ମୁଖରିତ ହୋଇଉଠିଥିଲା। ‘ତ୍ରିରଙ୍ଗା ଆମ ଗର୍ବ, ତ୍ରିରଙ୍ଗା ଆମ ସମ୍ମାନ’—ଏହି ବାର୍ତ୍ତା ସହ ଆୟୋଜିତ ଶୋଭାଯାତ୍ରା ଜାତୀୟ ଏକତା, ଅଖଣ୍ଡତା ଓ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିଥିଲା। ଦେଶର ସୁରକ୍ଷା ଓ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ବୀର ଅମର ସହିଦମାନଙ୍କୁ ମଧ୍ୟ ଏହି ଅବସରରେ ସ୍ମରଣ କରାଯାଇଥିଲା। ସ୍ୱାଧୀନତା ଦିବସ ପୂର୍ବରୁ କୋଟପାଡ଼ରେ ଆୟୋଜିତ ଏହି ତ୍ରିରଙ୍ଗା ଶୋଭାଯାତ୍ରା ସହରବାସୀଙ୍କ ମନରେ ଦେଶପ୍ରେମ ଓ ଜାତୀୟ ଏକତାର ନୂତନ ଉତ୍ସାହ ସୃଷ୍ଟି କରିଥିଲା।


