କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରିଚାଳନା କମିଟି ବୈଠକ

 ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ କୋଠା ଆର୍ଯ୍ୟପଲ୍ଲୀ ନିକଟରେ ନିର୍ମାଣାଧୀନ ଥିବାବେଳେ ଏହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ଛତ୍ରପୁରସ୍ଥିତ ପ୍ରିଏମଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ପାଠପଢ଼ା ଚାଲିଛି। ଏନେଇ ମଙ୍ଗଳବାର ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରିଚାଳନା କମିଟି ବୈଠକ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି ସହ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭଲ ଫଳାଫଳ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆସନ୍ତା ୨ରୁ ୩ ମାସ ମଧ୍ୟରେ ନିଜସ୍ୱ କୋଠାକୁ ବିଦ୍ୟାଳୟ ସ୍ଥାନାନ୍ତର ହେବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ସୁବ୍ୟବସ୍ଥିତ ଭାବେ ଚାଲିବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ କହିଥିଲେ। ବୈଠକରେ କମିଟି ସଭ୍ୟା ପ୍ରଫେସର ଜ୍ୟୋସ୍ନା ସାହୁ, ନୃତ୍ୟଗୁରୁ ଡ. ଅଳକା ସାହୁ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷିକ ଡାକ୍ତର ସ୍ୱାଧୀନ କୁମାର ରଥ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତିଙ୍କ ସମେତ ଅନ୍ୟ ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରିନ୍ସିପାଲ ରାଜେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଏଥିସହ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ କରିବାକୁ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ