ଶିକ୍ଷକ ଓ ଭିତ୍ତିଭୂମୀ ଅଭାବ : ଅଧିକାଂଶ ସରକାରୀ ବିଦ୍ୟାଳୟରେ ନାହିଁ ଏନ୍‍ସିସି

ଆସିକା (ୱାଇଏନ୍‍ଏସ୍‍) : ପୋଲିସ କିମ୍ବା ସେନାରେ କାମ କରିବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀ ସବୁବେଳେ ବିଦ୍ୟାଳ୍ୟରେ ଏନ୍‍ସିସିରେ ସାମିଲ୍‍ ହେବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାଏ । ହାଇସ୍କୁଲ ଓ କଲେଜରୁ ଏନ୍‍ସିସିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ସହ ସ୍ୱତନ୍ତ୍ର ପ୍ରମାଣପତ୍ର ମଧ୍ୟ ପାଇଥାଏ । ଯାହା ଏନ୍‍ସିସିରେ ସାମିଲ୍‍ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ନିଜର ଲକ୍ଷ୍ୟପଥରେ ପହଞ୍ଚାଇବାରେ ବିଶେଷ ସହାୟକ ହୋଇଥାଏ । ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ଥିବା ୩୩ଟି ସରକାରୀ ହାଇସ୍କୁଲ ଓ ୪ଟି କଲେଜ ମଧ୍ୟରୁ ହାତଗଣତି କିଛି ଶିକ୍ଷାନୁଷ୍ଠାନକୁ ଛାଡିଦେଲେ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପାଇଁ ଏନ୍‍ସିସି ଯେମିତି ସ୍ୱପ୍ନ ପାଲଟିଯାଇଛି । ଆସିକା ଅଞ୍ଚଳରେ ଥିବା ୩୩ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ମାତ୍ର ୪ ରୁ ୫ଟି ହାଇସ୍କୁଲକୁ ଛାଡିଦେଲେ ଅଧିକାଂଶ ସ୍କୁଲରେ ଏନ୍‍ସିସି ନାହିଁ । ସେହିିଭଳି ୪ଟି କଲେଜ ମଧ୍ୟରୁ ଅଧିକାଂଶ କଲେଜରେ ମଧ୍ୟ ଏନ୍‍ସିସି ନଥିବା ଜଣାପଡିଛି । ଫଳରେ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏନ୍‍ସିସି ପ୍ରଶିକ୍ଷଣରୁ ବଂଚିତ ହୋଇଆସୁଥିବା ଅଭିଯୋଗ ହେଉଛି । ବିଦ୍ୟାଳୟ ସ୍ତରରୁ ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏନ୍‍ସିସି ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏଥିପାଇଁ ଶିକ୍ଷାନୁଷ୍ଠାନ ଗୁଡିକରେ ଏନ୍‍ସିସି (ଜାତୀୟ କ୍ୟାଡେଟ୍‍ କର୍ପସ୍‍)କୁ ସୁଦୃଢ କରିବା ସହିତ ଏନ୍‍ସିସି ଭିତ୍ତିଭୂମିକୁ ମଜବୁତ୍‍ କରି ଛାତ୍ରଛାତ୍ରୀଙ୍କୁ ତାଲିମ୍‍ ଦେବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଉଛି । ଆସିକା ଅଞ୍ଚଳରେ ଥିବା ବହୁ ହାଇସ୍କୁଲ ଓ କଲେଜ ଗୁଡିକରେ ଏନ୍‍ସିସି ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଥିଲେ ବି ସେଥିରୁ ସେମାନେ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଶିକ୍ଷାନୁଷ୍ଠାନ ଗୁଡିକରେ ଏନ୍‍ସିସି ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯିବାର ବ୍ୟବସ୍ଥା ନଥିବା ବେଳେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ । ଉକ୍ତ ଶିକ୍ଷକ ପ୍ରଥମେ ନିଜେ ତାଲିମ୍‍ ନେବା ପରେ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ତାଲିମ୍‍ ପ୍ରଦାନ କରିଥାନ୍ତି । ତେବେ ଆସିକା ଅଞ୍ଚଳର ଅଧିକାଂଶ ଶିକ୍ଷାନୁଷ୍ଠାନ ଗୁଡିକରେ ଏନ୍‍ସିସି ଶିକ୍ଷକ ଓ ଭିତ୍ତିଭୂମି ଅଭାବ ଯୋଗୁଁ ଏହି କାର୍ଯ୍ୟକ୍ରମ ବାଟବଣା ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ୪୦ ବର୍ଷରୁ କମ୍‍ ବୟସର ଶିକ୍ଷକଙ୍କୁ ଏନ୍‍ସିସି ଶିକ୍ଷକର ଦାୟିତ୍ୱ ପ୍ରଦାନ ପାଇଁ ନିୟମ ରହିଛି । ଏନ୍‍ସିସି ଛାତ୍ରଛାତ୍ରୀଙ୍କ ଜୀବନରେ ଶୃଙ୍ଖଳା ଆଣିବା ସହ ପାଠପଢା, ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ ଏବଂ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିଥାଏ । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ଓ ବଡ ବଡ କାର୍ଯ୍ୟକ୍ରମ ସମୟରେ ଏନ୍‍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ରିଲିଫ୍‍ ବଣ୍ଟନ, ଔଷଧ ବଣ୍ଟନ୍‍, ଟ୍ରାଫିକ୍‍ ନିୟନ୍ତ୍ରଣ ଓ ବନ୍ୟାବାତ୍ୟା ପରବର୍ତ୍ତୀ କାଳୀନ ଉଦ୍ଧାର କାର୍ଯ୍ୟରେ ଏନ୍‍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ତେଣୁ ଆସିକା ଅଞ୍ଚଳର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ କଲେଜ ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନ୍‍ସିସି ସୁବିଧା ପ୍ରଦାନ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ