କେନ୍ଦ୍ରାପଡା ବ୍ଲକରେ ତାଲିମ ନାମରେ ହରିଲୁଟ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକରେ ବିଭିନ୍ନ ସମୟରେ ହେଉଥିବା ତାଲିମ ଶିବିର ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟି ସରକାରଙ୍କ ବିଭିନ୍ନ ଯୋଜନାରେ କେନ୍ଦ୍ରାପଡା ବ୍ଲକରେ ହେଉଥିବା ତାଲିମ ଶିବିରକୁ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ (ଡବ୍ଲୁଇଓ) ଶୁଭ୍ରଜିତ ରାଉତ ପରିଚାଳନା କରିଥାନ୍ତି। ବିଗତ ୩ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ବ୍ଲକରେ କାର୍ଯ୍ୟରତ ଥିବା ଡବ୍ଲୁଇଓ ଶ୍ରୀ ରାଉତ ଏହିସବୁ ତାଲିମ ଶିବିରର ପରିଚାଳନା କରିବା ସହ ଅତ୍ୟନ୍ତ ନିମ୍ନମାନର ଖାଦ୍ୟପଦାର୍ଥ ଶିବିରାର୍ଥୀମାନଙ୍କୁ ଖାଇବାକୁ ଦେବା ଓ ଅନେକ ସମୟରେ ବିନା ଖାଦ୍ୟ ପ୍ରଦାନରେ ମିଥ୍ୟା ବିଲ ଭାଉଚର ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ ବିଭାଗ ଅଧିନରେ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟ ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଅନୁଦାନ ଅର୍ଥକୁ ଲୁଟ କରିବାରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକଙ୍କୁ ପୂର୍ଣ୍ଣ ସହଯୋଗ କରି ଅର୍ଥ ଲୁଟ କରୁଛନ୍ତି। ଫଳରେ ସରକାରଙ୍କ ଯୋଜନା ଏହାଦ୍ୱାରା ଦିଗହରା ହୋଇପଡିଛି। ଦଳିତ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଋଣ କରାଇଦେବା ନାମରେ ସେମାନଙ୍କ ଠାରୁ ଅର୍ଥ ଉତ୍କଚ ନେବା ସହ ଅନେକ ସମୟରେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି। ତାଙ୍କର ଥାର୍ଡ ଫ୍ଲୋରରେ ହାତ ଅଛି ବୋଲି କହି ଲୋକମାନଙ୍କୁ ଡରାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏସମ୍ପର୍କରେ ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସମେତ ଶତାଧିକ ଦଳିତ ମହିଳା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଅଭିଯୋଗ କରି ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି କରିଛନ୍ତି। ଏହି ଅଭିଯୋଗର ନକଲ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ, ମୁଖ୍ୟଶାସସନ ସଚିବ, ବିଭାଗୀୟ ଶାସନ ସଚିବ, ଭିଜିଲାନ୍ସ ଏସପି ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।


