ପେଶାଦାର ଠକକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ୍

କଟକ, (ଓ୍ବାଇଏନଏସ): ବିଶ୍ବାସରେ ବିଷ ଦେଇ ଠକି ନେଇଛି ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । କେବେ ସରକାରୀ ଅଧିକାରୀ ତ କେବେ ସମାଜସେବୀ ଆଉ କେବେ ଶଶଧର ସାଜିଥିଲା ପ୍ରତିଷ୍ଠିତ ବ୍ୟବସାୟୀ। ଭଲ ଭାବରେ ଦେଖନ୍ତୁ ଭଦ୍ରମୁଖା ପିନ୍ଧା ଶଶଧର ପଣ୍ଡାଙ୍କୁ । ସରଳ ଓ ଶିକ୍ଷିତ ଭଳି ଦିଶୁଥିବା ଶଶଧର ବାସ୍ତବରେ ବଡ଼ ୪୨୦ । ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର ଶଶଧର ପଣ୍ଡା କଟକ ସିଡ଼ିଏ ଅଞ୍ଚଳରେ ରହୁଥିଲା । ବିଭିନ୍ନ ସ୍ଥାନରେ ନିଜକୁ ବିଇଓ, ରେଲୱେ ଅଧିକାରୀ, ବଡ଼ ବ୍ୟବସାୟୀ କିମ୍ବା ସମାଜସେବୀ ବୋଲି ପରିଚୟ ଦେଇ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଉଥିଲା । ଆଉ ଲୋକେ ବିଶ୍ବାସ କରିବା ପରେ ‘ମୁଙ୍ଗେରୀ ଲାଲ୍ କି ହସିନ ସପନେ’ ଦେଖାଇ କୋଟି କୋଟି ଟଙ୍କା ଚଳୁ କରୁଥିଲା । ଏକ ଜମି ବାବଦକୁ ୨୦ ଲକ୍ଷ ଟଙ୍କା ଠକେଇ ନେଇ କଟକ ମଙ୍ଗଳବାଗ ଥାନାରେ ଅଭିଯୋଗ ପରେ ଶଶଧର ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଆଉ ଶଶଧର ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ କଳା ଚିଠା ସାମ୍ନାକୁ ଆସିଛି । ବାଲିଅନ୍ତାରୁ ବାଲେଶ୍ବର, ପୁରୀରୁ ପାରାଦ୍ବୀପ ଚାରିଆଡ଼େ ଲମ୍ବିଛି ଶଶଧରର ଠକେଇ ଚେର । ଶଶଧର ପଣ୍ଡାର ଠକେଇ ତାଲିକା ବି ବେଶ୍ ଲମ୍ବା ।ବାଲିଅନ୍ତାରୁ ୨ କୋଟି ୨୪ ଲକ୍ଷ, ଭଦ୍ରକ ରୁରାଲ ଥାନା ଅଞ୍ଚଳରେ ୬୪ ଲକ୍ଷ, ନିମାପଡ଼ାରେ ୫୮ ଲକ୍ଷ ଠକିଛି । ଭଦ୍ରକ ଟାଉନ ଥାନା, ବନ୍ଧ ମୁଣ୍ଡା ଥାନାରେ ଠକେଇ ଅଭିଯୋଗ ସହ ଇଓଡବ୍ଲୁ ରେ ୩ କୋଟି ୫୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରହିଛି । ତେବେ ଏକାଧିକ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ମଧ୍ୟ ନିଜ ପ୍ରକୃତି ଛାଡ଼ିନାହିଁ ଶଶଧର । ଠକେଇର ବୁଡ଼ି ଆଣି ଜାଲ ବୁଣି ଜଣଙ୍କ ପରେ ଜଣଙ୍କୁ ଠକିଛି ।ଶଶଧର ନାଁରେ ମାଳମାଳ ଅଭିଯୋଗ, ଥାନାରେ ଅଭିଯୋଗକାରୀଙ୍କ ଲମ୍ବା ଲାଇନ । ଯଦି ଆଉ କେହି ଠକେଇର ଶିକାର ହୋଇଛନ୍ତି, ତେବେ ପୋଲିସର ସହାୟତା ନେବାକୁ ଅପିଲ କରିଛନ୍ତି କଟକ ଡିସିପି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ