ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟରେ କର୍ମଚାରୀ ସଂକଟ, ଖାଲି ପଡିଥିବା ପଦବୀ ପୂରଣ ଦାବୀ

ଆସିକା  (ୱାଇଏନ୍‍ଏସ୍‍) : କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଚାଷୀ କଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ କୃଷି କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ଗୋଷ୍ଠୀ କୃଷି କାର୍ଯ୍ୟାଳୟ, ଶେରଗଡ ଗୋଷ୍ଠୀ କୃଷି କାର୍ଯ୍ୟାଳୟ, ଧରାକୋଟ ଗୋଷ୍ଠୀ କୃଷି କାର୍ଯ୍ୟାଳୟ, ସୋରଡା ଗୋଷ୍ଠୀ କୃଷି କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ବହୁ କର୍ମଚାରୀ ପଦବୀ ଖାଲି ପଡିଥିଲା ମଧ୍ୟ ସେଗୁଡିକୁ ପୂରଣ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ହୋଇପାରୁନଥିିବା ଯୋଗୁଁ ଚାଷୀ କଲ୍ୟାଣକାରୀ ଯୋଜନା ଗୁଡିକ ଠିକ୍‍ ସମୟରେ କୃଷକଙ୍କ ନିକଟରେ ପହଞ୍ଚି ପାରୁନଥିବା ମଧ୍ୟ ଅଭିଯୋଗ ହେଉଛି । ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ବିଶେଷ କରି ଗ୍ରାମ୍ୟ କୃଷି କ୍ଷେତ୍ର କର୍ମଚାରୀ (ଭିଏଲ୍‍ଡବ୍ଳୁ)ଙ୍କ ସଂଖ୍ୟା ଅତି କମ୍‍ ଥିବା ଜଣାପଡିଛି । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ପରିଚାଳିତ ହୋଇଆସୁଥିବା ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟରେ ମାସ ମାସ ଧରି ବହୁ କର୍ମଚାରୀ ପଦବୀ ଖାଲି ପଡିଥିଲା ବେଳେ ଅତିରିକ୍ତ ଦାୟିତ୍ୱରେ ଥିବା କେତେକ କର୍ମଚାରୀଙ୍କ କାର୍ଯ୍ୟଭାର ଏତେ ବୃଦ୍ଧି ପାଇଛି ଯେ ସକାଳ ୧୦ ଘଟିକାରୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ କାମ ସରୁନଥିବା ଦେଖିବାକୁ ମିଳୁଛି । ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କ ହାତରେ ଚାଷ ଓ ଚାଷୀଙ୍କ ଭବିଷ୍ୟତ ରହିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟ ଅଧୀନସ୍ଥ ୪ଟି ଗୋଷ୍ଠୀ କୃଷି କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡିଥିଲେ ମଧ୍ୟ ସେ ଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସଠିକ୍‍ ସମୟରେ ଚାଷୀମାନେ ସେମାନଙ୍କ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ସର୍ବାଧିକ ଗୁରୁତ୍ୱ ଦେବା ସାଙ୍ଗକୁ କାଳିଆ ଯୋଜନା, ସିଏମ୍‍ କିଶାନ୍‍ ଯୋଜନା, ଓଡିଶା ମିଲେଟ୍‍ ମିଶନ୍‍, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଯନ୍ତ୍ରପାତି ସବ୍‍ସିଡି ଯୋଜନା ଭଳି ବହୁ ଚାଷୀ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିଲା ବେଳେ ସେସବୁ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ କୃଷି କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ କୃଷି ବିଭାଗରେ ଦେଖାଦେଇଛି କର୍ମଚାରୀ ମରୁଡି । ବର୍ଷ ବର୍ଷ ଧରି ଖାଲି ପଡିଥିବା କ୍ଷେତ୍ର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଦପଦବୀ ଗୁଡିକ ପୂରଣ କରାଯାଉ ନଥିବା ଯୋଗୁଁ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଉଛି । ଅପର ପକ୍ଷରେ କେତେକ କୃଷି କର୍ମଚାରୀଙ୍କ ଉପରେ ଅତିରିକ୍ତ ଦାୟିତ୍ୱର ବୋଝ ମଧ୍ୟ ଲଦି ଦିଆଯାଇଥିବା ଜଣାପଡିଛି । ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର ବିଭିନ୍ନ ଚାଷୀ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ବ୍ୟୟ କରିଚାଲିଥିଲେ ମଧ୍ୟ ଖାଲି ପଡିଥିବା କର୍ମଚାରୀ ପଦବୀ ପୂରଣ କରିବା ଦିଗରେ ପଦକ୍ଷେ ନନେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟରେ ଖାଲି ପଡିଥିବା ପୂରଣ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ସତ୍ୟବ୍ରତ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜ୍ୟ ସରକାର ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଚାଷୀ ସମାଜର ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ