ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର(ଓ୍ବାଇଏନଏସ): ଭାରତୀୟ ନିର୍ବାଚନ କମିଶନ (ECI) ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ଅର୍ଥାତ୍ ୩୦/୦୫/୨୦୨୬ ଠାରୁ ୦୬/୦୯/୨୦୨୬ ପର୍ଯ୍ୟନ୍ତ ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ” (Special Intensive Revision – SIR) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ (Collectorate Auditorium) ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (DIPRO) ଏବଂ ଜିଲ୍ଲା ନିର୍ବାଚନ ବିଭାଗୀୟ ଅଧିକାରିଣୀ (District Election Officer) ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଏହି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିର୍ଭୁଲ ଓ ଅପଡେଟ୍ କରିବା। ୩୦ ମେ, ୨୦୨୬ ରୁ ୨୮ ଜୁନ୍, ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ (BLO) ମାନେ ପ୍ରତ୍ୟେକ ପରିବାର ଗସ୍ତ କରି ଭୋଟରଙ୍କ ତଥ୍ୟ ଯାଞ୍ଚ ଏବଂ ଫର୍ମ ସଂଗ୍ରହ କରିବେ। ୦୬ ସେପ୍ଟେମ୍ବର, ୨୦୨୬ ରେ ସମସ୍ତ ସଂଶୋଧନ ପରେ ସମ୍ପୂର୍ଣ୍ଣ ନିର୍ଭୁଲ ଓ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ। ସାମ୍ବାଦିକ ସମ୍ମିଳନୀ ଶେଷରେ ଜିଲ୍ଲାପାଳ ବାଲେଶ୍ୱର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ଜାତୀୟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।


