ଗୃହ ପାଳିତ ପଶୁଙ୍କ ଚୋରି ଘଟଣାକୁ ନେଇ ବୈଠକ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକର ମେରିଙ୍ଗ ଛକ ନିକଟରେ ଦିନକୁ ଦିନ ଅଞ୍ଚଳରେ ଗୃହ ପାଳିତ ପଶୁଙ୍କ ଚୋରି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଏହାର ସମାଧାନ ନିମନ୍ତେ ଏକ ବିଶାଳ ସମାବେଶ ଓ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରନ୍ଦର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦିନକୁ ଦିନ ଗାଇ,ଗୋରୁ,ଛେଳି,ମେଣ୍ଢା ସହ ବିଭିନ୍ନ ଗୃହ ପାଳିତ ପଶୁ ମାନଙ୍କ ଚୋରି ଘଟଣା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ବୈଠକରେ ମୁନିଗୁଡା,ବିଷମକଟକ ଓ ଚନ୍ଦ୍ରପୁର ବ୍ଲକର ଶତାଧିକ ଲୋକ ଯୋଗଦେଇ ଅଞ୍ଚଳରେ ବଢ଼ୁଥିବା ଗୋ-ଚରାଚାଲାଣ ଏବଂ ପଶୁ ଚୋରି ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବୈଠକରେ ବକ୍ତାମାନେ କହିଥିଲେ ଯେ,ପଶୁପାଳନ ଗ୍ରାମାଞ୍ଚଳର ଲୋକଙ୍କ ଜୀବିକାର ପ୍ରମୁଖ ଆଧାର ହୋଇଥିବା ବେଳେ ଲଗାତାର ଚୋରି ଘଟଣା ଯୋଗୁଁ ଅନେକ ପରିବାର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳରେ ଏଭଳି ଘଟଣା ବଢ଼ୁଥିବା ସତ୍ତ୍ୱେ ଜଗଦଲପୁର ପୋଲିସ ଫାଣ୍ଡି ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରି ଲୋକମାନେ ପୋଲିସର ନିଷ୍କ୍ରିୟତା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ପୋଲିସ ଓ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନନେଲେ ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇବା ସହିତ ସମ୍ପୃକ୍ତ ଥାନା ଘେରାଉ କରିବେ ବୋଲି ବୈଠକରେ ଚେତାବନୀ ଦେଇଥିଲେ। ପଶୁ ଚୋରି ଓ ଗୋ-ଚରାଚାଲାଣ ରୋକିବା ପାଇଁ କଡ଼ା ପଦକ୍ଷେପ ,ରାତ୍ରିକାଳୀନ ପାଟ୍ରୋଲିଂ ବୃଦ୍ଧି ଏବଂ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ। ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ଏକ ୧୦ ଜଣିଆ କମିଟି ଗଠନ କରାଯିବା ସହ ଏକ ପ୍ରତିନିଧି ଦଳ ପ୍ରଶାସନ କୁ ଚୋରି ରୋକିବା ଦିଗରେ ପଦକ୍ଷେପ ନେବା ପାଇଁ ଦାବି ପତ୍ର ପ୍ରଦାନ କରିବେ ବୋଲି ବୁଦ୍ଧିଆ ଗୌଡ,ସୁବାସ ପ୍ରାସ୍କା, ପୁରନ୍ଦର ପିଡିକାକା ସୂଚନା ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ