ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡାସ୍ଥିତ ମା’ ଜାଗୁଳେଇ ମନ୍ଦିର ପ୍ରାଙ୍ଗଣରେ ଅର୍ଣ୍ଣପୂର୍ଣ୍ଣା ନାରାୟଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ, ସାହିତ୍ୟିକ ଓ ସାମ୍ବାଦିକ କୃଷ୍ଣ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରକୁ ଅନ୍ତର୍ଜାତୀୟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଉଦ୍ଘାଟନ କରିଥିବାବେଳେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ଓଡ଼ିଶାର ବରିଷ୍ଠ ହେପାଟୋଲୋଜିଷ୍ଟ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ଏବଂ ବରିଷ୍ଠ କାର୍ଡିଓଲୋଜିଷ୍ଟ ଡାକ୍ତର ଦୀପକ ଦାସ ଚିକିତ୍ସକ ଭାବେ ଯୋଗଦେଇ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଏହି ଶିବିରରେ ମୋଟ ୧୭୪ ଜଣ ରୋଗୀ ବିଭିନ୍ନ ଜଟିଳ ରୋଗ ପାଇଁ ଚିକିତ୍ସା ସେବା ଗ୍ରହଣ କରିଥିଲେ। ଶିବିରରେ ଲିଭର ସମ୍ବନ୍ଧୀୟ ରୋଗ, ଜଣ୍ଡିସ ଓ ହେପାଟାଇଟିସ ପାଇଁ ଯକୃତ କାର୍ଯ୍ୟ ପରୀକ୍ଷା (ଏଲ୍.ଏଫ୍.ଟି.), ଯକୃତ ଫାଇବ୍ରୋସ୍କାନ୍, ହୃଦରୋଗ ପାଇଁ ହୃଦ୍ସ୍ପନ୍ଦନ ବିଦ୍ୟୁତ ପରୀକ୍ଷା (ଇସିଜି), ରକ୍ତ ସୁଗାର, କୋଲେଷ୍ଟ୍ରଲ ଓ ଚର୍ବି ପ୍ରୋଫାଇଲ ସମେତ ବିଭିନ୍ନ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିଲା। ହୃଦ୍ସ୍ପନ୍ଦନ ବିଦ୍ୟୁତ ପରୀକ୍ଷା (ଇସିଜି) କାର୍ଯ୍ୟରେ ନିବାକର ସ୍ୱାଇଁ ଓ ଲଗ୍ନଜିତ ପଣ୍ଡା ନିୟୋଜିତ ଥିବାବେଳେ ରକ୍ତ ସୁଗାର ଓ ଚର୍ବି ପ୍ରୋଫାଇଲ ପରୀକ୍ଷାରେ ପ୍ରଦ୍ୟୁମ୍ନ କୁମାର ରାଉତ ଓ ସରୋଜ କୁମାର ମହାନ୍ତି ସହଯୋଗ କରିଥିଲେ। ଶିବିରରେ ଶୃଙ୍ଖଳା ରକ୍ଷା ଓ ସୁପରିଚାଳନା ପାଇଁ ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଚନ୍ଦ୍ରକାନ୍ତ ବେହେରା, ତପସ୍ୱିନୀ ପଣ୍ଡା ଓ ସଂଗ୍ରାମ କେଶରୀ ଦାସ ସହଯୋଗ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପୂର୍ବତନ ଶିକ୍ଷକ ନିରଞ୍ଜନ ମହାନ୍ତି, ଜଗନ୍ନାଥ ଦାସ, ସାମ୍ବାଦିକ ଶୁଭକାନ୍ତ ପଢ଼ିଆରୀ, ମନୋଜ ନାୟକ, ପ୍ରଦୋଷ ମହାନ୍ତି, ମହାଦେବ ନାୟକ , ସରୋଜ କୁମାର ଲେଙ୍କା, ଦୁଷ୍ମନ୍ତ ମହାନ୍ତି, ଟନି ଦାସ, ଅନିଲ ଲେଙ୍କା, ବିରଞ୍ଚି ନାରାୟଣ ପରିଡ଼ା, ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ।


