ଆସିକା ବନାଞ୍ଚଳରେ ୨୦ ହଜାର ତାଳମଞ୍ଜି ରୋପଣ ଲକ୍ଷ୍ୟଧାର୍ଯ୍ୟ

ଆସିକା (ୱାଇଏନ୍‍ଏସ୍‍) : ଗତ କିଛି ବର୍ଷ ହେଲା ଗଂଜାମ ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପରାମର୍ଶକ୍ରମେ ଆସିକା ବନାଂଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ମାର୍ଗଦର୍ଶନ ଓ ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ଶେରଗଡ ବନପାଳ ରାଜେନ୍ଦ୍ର କୁମାର ଗୌଡ, ଷଡଙ୍ଗୀପଲ୍ଲୀ ବନପାଳ ପି.ସୁରଜ କୁମାର, ଧରାକୋଟ ବନପାଳ ଲାଜୁ ଶବରଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ପରେ ଆରମ୍ଭ ହେବାକୁ ଥିବା ତାଳମଂଜି ରୋପଣ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବନାଂଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା, ଶେରଗଡ, ଷଡଙ୍ଗୀପଲ୍ଲୀ, ଧରାକୋଟ ସେକ୍ସନ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ଗତବର୍ଷ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ତାଳମଞ୍ଜି ରୋପଣ କରାଯାଇଥିଲା ବେଳେ ଆଗାମୀ କିଛି ଦିନ ପରେ ପ୍ରାୟ ୨୦ ହଜାର ତାଳମଂଜି ରୋପଣ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା ବେଳେ ଆସନ୍ତା ଜୁଲାଇ ମାସରୁ ଆସିକା ବନବିଭାଗ ପକ୍ଷରୁ ତାଳମଂଜି ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ପ୍ରତିବର୍ଷ ବଜ୍ରପାତ ଯୋଗୁଁ ଅଦିନରେ ବହୁ ଧନଜୀବନ, ଗୃହପାଳିତ ପଶୁ ପ୍ରାଣ ହରାଉଛନ୍ତି । ବଜ୍ରପାତର ମୁକାବିଲା କରିବା ପାଇଁ ତାଳଗଛ ହିଁ ଏକମାତ୍ର ଭରଷା । ପ୍ରକୃତି ସବୁବେଳେ ମନୁଷ୍ୟକୁ ସୁରକ୍ଷା ଦେଇଆସିଛି । ଅଦିନିଆ ବର୍ଷା, ଘଡଘଡି, ବଜ୍ରପାତ ଭଳି ଅଘଟଣା ଯୋଗୁଁ ଅନେକ ସମୟରେ ନିସ୍ତାର ମଧ୍ୟ ମିଳୁନାହିଁ । ବିଶେଷକରି ବଜ୍ରପାତରୁ ମୁକ୍ତି ପାଇବା ପାଇଁ ତାଳମଂଜି ରୋପଣ ଓ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବାଡିବଗିଚାରେ ଅଧିକରୁ ଅଧିକ ତାଳଗଛ ଲଗାଇବା ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ଆସିକା ବନବିଭାଗ ସର୍ବାଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀମାନେ ପ୍ରାକ୍‍ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି । ଏହି ତାଳମଂଜି ରୋପଣ କାର୍ଯ୍ୟକ୍ରମକୁ ଆସିକା ବନାଂଚଳ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ଆହୁରି ବ୍ୟାପକ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସିକା ବନାଂଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା, ଶେରଗଡ, ଷଡଙ୍ଗୀପଲ୍ଲୀ, ଧରାକୋଟ ସେକ୍ସନର ଜଙ୍ଗଲ ସୀମାରେ ଏହି ତାଳମଂଜି ରୋପଣ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ଏହାର ସୁରକ୍ଷା ପ୍ରତି ମଧ୍ୟ ବନବିଭାଗ ପକ୍ଷରୁ ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି । ବଜ୍ରପାତ ରୋକିବାରେ ତାଳଗଛ ବିଶେଷ ଭୂମିକା ଗ୍ରହଣ କରୁଥିବା ବେଳେ ଏହାର ବୈଜ୍ଞାନିକ ଉପାଦେୟତା ମଧ୍ୟ ରହିଛି । ବଜ୍ରପାତରୁ ମଣିଷର ଜୀବନକୁ ସୁରକ୍ଷିତ ରଖିବା ପାଇଁ ତାଳଗଛକୁ ବିକଳ୍ପ ଭାବେ ଗ୍ରହଣ କରାଯାଇଥିବା ଜଣାପଡିଛି । ତାଳଗଛ ସୃଷ୍ଟି ହେଲେ ବଜ୍ରପାତର କ୍ଷୟକ୍ଷତିକୁ ରୋକିବାରେ ବିଶେଷ ଭାବେ ସହାୟକ ହୋଇପାରିବ । ତେଣୁ ତାଳଗଛର ସୁରକ୍ଷା ଓ ତାଳମଂଜି ରୋପଣକୁ ଆସିକା ବନବିଭାଗ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ