ନାଳରେ ଭାସିଯାଇ ନାବାଳକ ମୃତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ) ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ନିକଟସ୍ଥ ହରିଶଙ୍କର ଶୈବପୀଠସ୍ଥିତ ନାଳରେ ଭାସି ଯାଇ ଜଣେ ନାବାଳକ ତଥା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ହେଲେ ଲିଟିଗୁଡା ଦୋରା ସାହିର ଦିନବନ୍ଧୁଙ୍କ ପୁଅ ଆଲୋକ ସିଉନା(୧୨) ବୋଲି ଜଣାପଡିଛି। ସୂଚନା ଯେ ଶନିବାର ଅପରାହ୍ନ ଚାରିଟା ବେଳେ ଆଲୋକ ସାଙ୍ଗ ମାନଙ୍କ ସହ ମିଶି ଗାଧୋଇବା ପାଇଁ ଯାଇ ଯାଇଥିଲେ। ଗାଧୋଇବା ସମୟରେ ଆଲୋକ ନାଳର ଗଭୀର ଅଞ୍ଚଳକୁ ଭାସି ଯାଇଥିଲା। ସେ ସମୟରେ ସାଙ୍ଗମାନେ ତାକୁ ଉଦ୍ଧାର କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ। ହେଲେ ଆଲୋକ ଗଭୀର ପାଣିର ଭଉଁରିରେ ତଳକୁ ଚାଲି ଯାଇଥିଲା।ସେହି ସ୍ଥାନରେ ପାହାଡି ପାଣି ଉପରୁ ତଳକୁ ପଡ଼ି ଅଧିକା ଗହିର ହୋଇଥାଏ। ପାଣି ଭିତରେ ଥିବା ଅସଂଖ୍ୟ ବଡ଼ ବଡ଼ ପଥରର ଖୋଲ ମଧ୍ୟରେ ଆଲୋକର ଶରୀର ଅଦୃଶ୍ୟ ହୋଇଯାଇଥିଲା। ଏସବୁ ଦେଖି ଆଲୋକର ସାଙ୍ଗମାନେ ଗାଁକୁ ଆସି ତାଙ୍କ ଘରେ ଏବଂ ଗ୍ରାମବାସୀଙ୍କୁ ଖବର ଦେବାରୁ ସମସ୍ତେ ଖୋଜି ଖୋଜି ନିରାଶ ହେବାରୁ ମୁନିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ଅପରେସନ ଆରମ୍ଭ କରିଦେଇଥିଲେ। ଅନେକ ଖୋଜା ଖୋଜି ପରେ ମଧ୍ୟ ଆଲୋକର କୌଣସି ପତ୍ତା ମିଳିନଥିଲା। ରାତ୍ରି ହୋଇ ଯାଇଥିବା କାରଣରୁ ଖୋଜାଖୋଜି ସହଜ ହେଉ ନଥିଲା ଏବଂ କୈଣସି ସନ୍ଧାନ ମିଳି ପାରିନଥିଲା। ରବିବାର ସକାଳୁ ପୁଣି ଅଗ୍ନିଶମ ବାହିନୀ ତନ୍ନ ତନ୍ନ କରି ଖୋଜିବାରୁ ଆଲୋକର ମୃତଦେହ ପଥର ସନ୍ଧିରୁ ଉଦ୍ଧାର ହୋଇଥିଲା। ଉଦ୍ଧାର ହେବା ପରେ ଆଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳାଇଛି। ଆଲୋକଙ୍କ ମୃତ୍ୟୁପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।


