ନାବାଳିକା ଛାତ୍ରୀକୁ ବଳାତ୍କାର ମାମଲା: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ନିକିରାଇ ଥାନା ଅନ୍ତର୍ଗତ ଜମରା ଗ୍ରାମର ବିଶ୍ୱଜିତ ସାହୁ। ମାମଲାର ବିରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ବିଶ୍ୱଜିତ କେନ୍ଦ୍ରାପଡା ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀକୁ ତାଙ୍କ ଘରୁ ଚଳିତବର୍ଷ ମାର୍ଚ୍ଚମାସ ୫ତାରିଖରେ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସଂପୃକ୍ତ ଅଞ୍ଚଳର ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ସେହି ଅଭିଯୋଗକୁ ଭିତ୍ତି କରି ଥାନା କେଶ ନମ୍ବର-୪୭/୨୦୨୫ରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିଲା। ପୋଲିସ ମୋବାଇଲ ଟ୍ରାକିଂ କରି ନାଭି ମୁମ୍ବାଇରୁ ଅଭିଯୁକ୍ତ ବିଶ୍ୱଜିତକୁ ଗିରଫ କରିବା ସହ ପିଡିତା ନାବାଳିକାକୁ ଉଦ୍ଧାର କରି ତାଙ୍କର ବୟାନ ରେକର୍ଡ କରିଥିଲା। ଉଭୟଙ୍କର ଡାକ୍ତରୀ ମାଇନା ପରେ ନାବାଳିକାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ନିଜ ବୟାନରେ ନାବାଳିକା ଜଣଙ୍କ କହିଥିଲେ ଯେ ଅଭିଯୁକ୍ତ ତାଙ୍କୁ ନାଭି ମୁମ୍ବାଇର ଏକ ଭଡାଘରେ ରଖି ବାରମ୍ବାର ବଳାତ୍କାର କରିଥିଲା। ତେଣୁ ପୋଲିସ ଅଭିଯୁକ୍ତକୁୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଇମାସ ୩୧ତାରିଖରେ ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ଏହି ମାମଲାର ବିଚାର ଚାଲିଥିବା ବେଳେ ୧୧ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଜ୍ଞାପରମିତା ରାଉଳ ଉପରୋକ୍ତ ରାୟ ଶୁଣାଇଛନ୍ତି। ଏଥିସହ ପିଡିତାଙ୍କୁ ୬ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିବାକୁ ଅଦାଲରତ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ