ଟଙ୍କା ଆତ୍ମସାତ ମାମଲା : କେସିସି ବ୍ୟାଙ୍କର ଶାଖା ପରିଚାଳକଙ୍କ ସହ ଠକ ଦମ୍ପତି ଗିରଫ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ଓଡ଼ିଶା ଭିଜିଲାନ୍ସ ଟଙ୍କା ଆତ୍ମସାତ୍ ମାମଲାରେ ସୁଶ୍ରୀ ନିବେଦିତା ତରାଇ ଏବଂ ତାଙ୍କ ଲିଭ୍-ଇନ୍ ପାର୍ଟନର ନୃସିଂହ ପ୍ରସାଦ ଖମାରୀଙ୍କୁ ଗିରଫ କରିଛି। ଏହି ଦୁଇଜଣ ମାଲକାନଗିରି KCC ବ୍ୟାଙ୍କର ଶାଖା ପରିଚାଳକ ସୁଧାଂଶୁ ଖରାଙ୍କ ସହ ସମ୍ପୃକ୍ତ ଥିଲେ। ସେମାନଙ୍କ ଉପରେ ୧.୦୮ କୋଟିରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ରହିଛି। ଶ୍ରୀ ଖରାଙ୍କୁ ମେ ୫ ତାରିଖରେ ଗିରଫ କରାଯାଇଥିଲା ଏବଂ ସେ ବର୍ତ୍ତମାନ ପୋଲିସ ରିମାଣ୍ଡରେ ଅଛନ୍ତି। ଅର୍ଥ କାରବାରର ଅନୁସନ୍ଧାନରୁ ଜଣାପଡିଛି ଯେ, ଶ୍ରୀ ଖରା ହଡ଼ପ ହୋଇଥିବା ଅର୍ଥରୁ ପ୍ରାୟ ୬୩ ଲକ୍ଷ ଟଙ୍କା ନିବେଦିତା ଓ ତାଙ୍କ ଲିଭ୍ ପାର୍ଟନର ଙ୍କୁ ପଠାଇଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ, ଶ୍ରୀ ଖରା ଚିହ୍ନଟରୁ ବଞ୍ଚିବା ପାଇଁ ଏକ ଷଡ଼ଯନ୍ତ୍ର କରି ନିଜର ସହଯୋଗୀ ସୁଶ୍ରୀ ନିବେଦିତା ତରାଇ ଏବଂ ନୃସିଂହ ପ୍ରସାଦ ଖମାରୀ ଙ୍କ ଦ୍ବାରା ଅର୍ଥ ହେରଫେର କରିଛନ୍ତି। ଶ୍ରୀ ଖରା ଫେସବୁକ ପ୍ରୋଫାଇଲ ମାଧ୍ୟମରେ ସୁଶ୍ରୀ ନିବେଦିତା ତରାଇ ଓରଫ୍ ସୁଶ୍ରୀ ସୁଲଗ୍ନାଙ୍କ ସହ ସମ୍ପର୍କରେ ଆସିଥିଲେ ଏବଂ ମିଳିତ ଭାବେ ବ୍ୟାଙ୍କ ପାଣ୍ଠି ହଡ଼ପ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଶ୍ରୀ ଖମାରୀ ଦୀର୍ଘ ଦିନ ଧରି ସୁଶ୍ରୀ ତରାଇଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ଥିବା କହିଛନ୍ତି।ଜାଲିଆତି କରୁଥିବା ଶ୍ରୀ ଖମାରୀ ଏବଂ ସୁଶ୍ରୀ ତରାଇଙ୍କ ପୃଥକ ସମାନ୍ତରାଳ ତଦନ୍ତ ଏବଂ ଜେରାରୁ ଜଣାପଡିଛି ଯେ ଏହି ଦୁଇଜଣ ପେଶାଦାର ରାକେଟିଅର୍ ଏବଂ ସେମାନେ ଅନେକ ବ୍ୟକ୍ତିଙ୍କୁ ପ୍ରତାରଣା କରିବା ସହ ଏଭଳି ଅନେକ ଜାଲିଆତି କରିଥାଇପାରନ୍ତି। ଶ୍ରୀ ଖମାରୀଙ୍କ ଦ୍ୱାରା କରାଯାଇଥିବା ୧୪ ଲକ୍ଷ ଟଙ୍କାର ଜାଲିଆତି ପାଇଁ ବାଙ୍ଗାଲୋର ପୋଲିସ କମିଶନରେଟରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ଜଗତସିଂହପୁରରେ ସେମାନଙ୍କ ଦ୍ୱାରା ଆଉ ଏକ ୩୦ ଲକ୍ଷ ଟଙ୍କାର ଜାଲିଆତି ହୋଇଥିବା ଜଣାପଡିଛି। ସେହିଭଳି ବାରିପଦା, ପାରାଦୀପ ଏବଂ ଭୁବନେଶ୍ୱରରେ ମଧ୍ୟ ଏହି ଦୁଇଜଣଙ୍କ ଦ୍ୱାରା ଜାଲିଆତି ହୋଇଥିବାର ସମ୍ଭାବନା ରହିଛି।ଭିଜିଲାନ୍ସର ଅର୍ଥ ଏବଂ ବ୍ୟାଙ୍କିଙ୍ଗ ବିଶେଷଜ୍ଞମାନଙ୍କ ଦ୍ୱାରା ବିଭିନ୍ନ ବ୍ୟାଙ୍କରେ ଥିବା ଏହି ଦୁଇଜଣଙ୍କର ୨୫ଟି ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି। ଏଥିସହ, ଅର୍ଥ କାରବାରର ମାର୍ଗ ଏବଂ ଅନ୍ୟାନ୍ୟ ଜାଲିଆତିର ସନ୍ଧାନ ପାଇଁ ସେମାନଙ୍କ ଦ୍ୱାରା ଖୋଲାଯାଇଥିବା ୧୨ଟି ଷ୍ଟକ୍ ଟ୍ରେଡିଂ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଉଛି। ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ସେମାନଙ୍କ ଘର ଉପରେ ଚଢ଼ାଉ ସମୟରେ ୩୩ଟି ମୋବାଇଲ୍ ଫୋନ୍ (ଯେଉଁଥିରୁ ପ୍ରମାଣ ନଷ୍ଟ କରିବା ପାଇଁ ଅପରାଧ ପରେ ୨୭ଟିକୁ ଭାଙ୍ଗି ଦିଆଯାଇଥିଲା), ଡେସ୍କଟପ୍, ଟ୍ୟାବଲେଟ୍, ଆତ୍ମସାତ ହୋଇଥିବା ଅର୍ଥରେ କିଣାଯାଇଥିବା ଅଳଙ୍କାର, ଗୋଟିଏ ଡ୍ରୋନ୍, ହାଇ-ଏଣ୍ଡ୍ କ୍ୟାମେରା ଇତ୍ୟାଦି ଜବତ କରାଯାଇଛି।ଶ୍ରୀ ଖରା ଏବଂ ସୁଶ୍ରୀ ନିବେଦିତା ତରାଇ ଉଭୟ ଅନ୍ୟମାନଙ୍କୁ ଠକି ନିଜକୁ ସମୃଦ୍ଧ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏକ ଅପରାଧିକ ସିଣ୍ଡିକେଟ୍ ଚଳାଉଥିବା ପରି ଜଣାପଡୁଛନ୍ତି, ଯାହାର ତଦନ୍ତ ଜାରି ରହିଛି।


